୩:-ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ


୧ । ଭାରତର ସମ୍ବିଧାନରେ ପ୍ରସ୍ତାବନା କାହିଁକି ସ୍ଥାନ ପାଇଅଛି? 

ଉ : ପ୍ରତ୍ୟେକ ଲିଖିତ ସମ୍ବିଧାନରେ ଏକ ପ୍ରସ୍ତାବନା ବା ମୁଖବନ୍ଧ ଥାଏ । ଏହା ହେଉଛି ସମ୍ବିଧାନର ଜାତକ ବା ସମ୍ବିଧାନର ମାପକାଠି । ପ୍ରସ୍ତାବନା ହେଉଛି ସମ୍ବିଧାନର ଦର୍ପଣ ଭଳି । ଦର୍ପଣ ସାମନାରେ ଠିଆ ହେଲେ ଜଣେ ଯେମିତି ନିଜର ଛବିକୁ ଦେଖିପାରିବ ପ୍ରସ୍ତାବନାକୁ ପଠନ କଲେ ସମ୍ବିଧାନ ମଧ୍ୟରେ କ’ଣସବୁ ରହିଛି ଅନୁଧ୍ୟାନ କରିପାରିବ । ଏହା ସମ୍ବିଧାନର ଆଭିମୁଖ୍ୟକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରିଥାଏ । ଏଣୁ ଭାରତର ସମ୍ବିଧାନରେ ପ୍ରସ୍ତାବନାକୁ ସ୍ଥାନ ଦିଆଯାଇଛି ।

 ୨ । ଭାରତ ସମ୍ବିଧାନ ଏକ ଲିଖିତ ସମ୍ବିଧାନ ହେଲେ ମଧ୍ୟ ସମ୍ବିଧାନରେ ଦୁଇଗୋଟି ଅଲିଖିତ ବିଷୟବସ୍ତୁର ଉଦାହରଣ ଲେଖ । 

ଉ : ଲିଖିତ ସମ୍ବିଧାନରେ ରାଷ୍ଟ୍ରର ସାମ୍ବିଧାନିକ ଆଇନ୍ ଗୁଡ଼ିକ ଲିପିବଦ୍ଧ ହୋଇଥାଏ । ଯଦିଓ ଭାରତ ସମ୍ବିଧାନ ଏକ ଲିଖିତ ସମ୍ବିଧାନ ଏଥିରେ ଅନେକ ବିଷୟ ଅଲିଖିତ ଆକାରରେ ରହିଛି। ଉଦାହରଣ ସ୍ଵରୂପ : ଭାରତ ଏକ ସଂଘୀୟ ରାଷ୍ଟ୍ର ବୋଲି କେଉଁଠି ଲେଖାଯାଇ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ଦଳର ନେତା ହୋଇଥିବା ବିଷୟ ମଧ୍ୟ ଲେଖା ହୋଇନାହିଁ ।

୩ । ଭାରତୀୟ ସମ୍ବିଧାନରେ କେତେକ ଅଂଶ ନମନୀୟ । ଏହାର ୩ଗୋଟି ଉଦାହରଣ ଦିଅ । 

ଉ : ଭାରତର ଅନେକ ଅଂଶ ନମନୀୟ ଯାହା ସହଜ ଭାବେ ସଂଶୋଧିତ ହୋଇପାରିବ । ଏହାର ତିନିଗୋଟି ଉଦାହରଣ ହେଲା : ନୂତନ ରାଜ୍ୟ ସୃଷ୍ଟି, ରାଜ୍ୟବିଧାନ ପରିଷଦ ସୃଷ୍ଟି ଏବଂ ଏହାର ଉଚ୍ଛେଦ ।

୪। ଭାରତକୁ କାହିଁକି ସଂଘୀୟ ରାଷ୍ଟ୍ର କୁହାଯାଏ ? ଏହାର ତିନିଗୋଟି ମୁଖ୍ୟ ବୈଶିଷ୍ଟ୍ୟ ଲେଖ । 

ଉ : ଭାରତ ହେଉଛି ଏକ ସଂସଦୀୟ ରାଷ୍ଟ୍ର । ଏହାର ତିନିଗୋଟି ମୁଖ୍ୟ ବୈଶିଷ୍ଟ୍ୟ ହେଲା : 
(୧) ଏଠାରେ ଦୁଇଟି କାର୍ଯ୍ୟପାଳିକା- ନାମମାତ୍ର ଓ ବାସ୍ତବ କାର୍ଯ୍ୟପାଳିକା ଅଛନ୍ତି । 
 (୨) ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ନିବିଡ଼ ସଂପର୍କ ଅଛି । 
 (୩) କେନ୍ଦ୍ର ମନ୍ତ୍ରିମଣ୍ଡଳ ଲୋକ ସଭା ନିକଟରେ ଉତ୍ତରଦାୟୀ ।

୫।ଭାରତକୁ କାହିଁକି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାଯାଏ? ଧର୍ମ ନିରପେକ୍ଷ ହୋଇ ନଥିବା ଏକ ରାଷ୍ଟ୍ରର ନାମ ଲେଖ ।

ଉ : ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏହାର କାରଣ ହେଲା ଭାରତରେ ରାଷ୍ଟ୍ରଧର୍ମ ବୋଲି କୌଣସି ଧର୍ମ ନାହିଁ । ରାଷ୍ଟ୍ର କୌଣସି ଧର୍ମର ବିରୁଦ୍ଧାଚରଣ ମଧ୍ୟ ନକରି ନିରପେକ୍ଷତା ଅବଲମ୍ବନ କରେ । ଏଣୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଧର୍ମନିରପେକ୍ଷ ହୋଇ ନଥିବା ଏକ ରାଷ୍ଟ୍ର ହେଉଛି ପାକିସ୍ତାନ ।

୬ । ସାମ୍ବିଧାନିକ ପ୍ରତିକାର ଅଧିକାର କ’ଣ ? ୩ ଧାଡ଼ିରେ ବୁଝାଇ ଲେଖ । 

ଉ : ଭାରତୀୟ ନାଗରିକମାନଙ୍କୁ ପ୍ରଦତ୍ତ ଛଅଗୋଟି ମୌଳିକ ଅଧିକାର ମଧ୍ୟରୁ ଶେଷ ଗୋଟିକ ହେଉଛି ସାମ୍ବିଧାନିକ ପ୍ରତିକାର ଅଧିକାର । ଏହି ଅଧିକାର ଅନ୍ୟ ପାଞ୍ଚଟିର ରକ୍ଷାକବଚ ଅଟେ । ଏହାର କାରଣ ହେଲା ଯଦି କୌଣସି ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୁଏ ବା କ୍ଷୁର୍ଣ୍ଣ ହେବାର ସମ୍ଭାବନା ଥାଏ ତାହାହେଲେ ସାମ୍ବିଧାନିକ ପ୍ରତିକାର ଅଧିକାର ବଳରେ ସେ ସର୍ବୋଚ୍ଚ ବା ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ତାହାର ସୁରକ୍ଷା କରିପାରିବ ।

 ୭ । ଏକକ ନାଗରିକତା କହିଲେ କ’ଣ ବୁଝ ? ପୃଥିବୀର କେଉଁ ରାଷ୍ଟରେ ଏକାଧିକ ନାଗରିକତା ଅଛି ?

 ଉ : ଗୋଟିଏ ରାଷ୍ଟ୍ରରେ ବାସ କରୁଥିବା ସମସ୍ତ ନାଗରିକଙ୍କୁ ଏକ ନାଗରିକ ଭାବେ ଗଣନା କଲେ ଏକକ ନାଗରିକତା କୁହାଯାଏ । ଉଦାହରଣ ସ୍ଵରୂପ ଯଦିଓ ଭାରତ ଏକ ସଂଘୀୟ ରାଷ୍ଟ୍ର ଏଠାରେ ସେମାନଙ୍କୁ ଭାରତର ନାଗରିକ ଭାବେ ଗଣାଯାଏ । ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା ଭଳି ସଂଘୀୟ ରାଷ୍ଟ୍ରରେ ଦ୍ବୈତ ନାଗରିକତା ରହିଛି ।

୮ । ଭାରତ ସମ୍ବିଧାନର ପିତା କାହାକୁ କୁହାଯାଏ ?

 ଉ : ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କୁ ଭାରତ ସମ୍ବିଧାନର ପିତା କୁହାଯାଏ ।

 ୯। ଏକ ଧର୍ମଭିତ୍ତିକ ରାଷ୍ଟ୍ରର ଉଦାହରଣ ଦିଅ ।

 ଉ : ପାକିସ୍ତାନ ଏକ ଧର୍ମଭିତ୍ତିକ ରାଷ୍ଟ୍ର ଅଟେ । 

୧୦ । ୧୯୭୬ ମସିହାଠାରୁ କେଉଁ ସବୁ ଶବ୍ଦ ସମ୍ବିଧାନର ପ୍ରସ୍ତାବନାରେ ଯୋଗ କରାଗଲା ? 

ଉ : ୧୯୭୬ ମସିହାଠାରୁ ସମ୍ବିଧାନର ପ୍ରସ୍ତାବନାରେ ନିମ୍ନଲିଖିତ ଶବ୍ଦଗୁଡ଼ିକ ଯୋଗ କରାଗଲା । ‘ସମାଜବାଦୀ, “ଧର୍ମନିରପେକ୍ଷ ଏବଂ ‘ଅଖଣ୍ଡତା’ ।

 ୧୧ । ଭାରତ ସଂଘୀୟ ରାଷ୍ଟ୍ରରେ କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ହେଲେ କିଏ ସମାଧାନ କରନ୍ତି ? 

ଉ : ଭାରତ ସଂଘୀୟ ରାଷ୍ଟ୍ରରେ କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ସମାଧାନ କରନ୍ତି । 

 ୧୨ । ଭାରତୀୟ ସଂସ୍କୃତିର ସୁରକ୍ଷା କରିବାର ଦାୟିତ୍ବକୁ କ’ଣ କୁହାଯାଏ ? 

ଉ : ଭାରତୀୟ ସଂସ୍କୃତିର ସୁରକ୍ଷା କରିବାର ଦାୟିତ୍ଵକୁ ମୌଳିକ କର୍ତ୍ତବ୍ୟ କୁହାଯାଏ ।


Comments

Popular posts from this blog

ସାମାଜିକ ଶୃଙ୍ଖଳା

୬:-ମୋଗଲ ସାମ୍ରାଜ୍ୟର ପତନ