ସ୍ବାସ୍ଥ୍ୟ ଓ ରୋଗ


ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର।

୧ - ଆମେ ଖାଦ୍ୟ ଖାଇଥାଉ କାହିଁକି ? ଖାଦ୍ୟର ଶ୍ରେଣୀ ବିଭାଗ କର । ଖାଦ୍ୟ ଅଭାବରେ ହେଉଥିବା ରୋଗ ବିଷୟରେ ଲେଖ ।

 ଉ: (i) ଆମ ଶରୀରକୁ ରୋଗମୁକ୍ତ ରଖିବା ପାଇଁ ହେଲେ ବିଭିନ୍ନ ପ୍ରକାରର ଖାଦ୍ୟ ମିଶାଇ ଆମେ ଖାଇଥାଉ । 
(ii) ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା- ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ, ରୋଗମୁକ୍ତକାରୀ ବା ରୋଗ ପ୍ରତିରୋଧକାରୀ ।
 (iii) ଆମ ଖାଦ୍ୟର ମୁଖ୍ୟ ଉପାଦାନଗୁଡ଼ିକ ହେଲା- ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର, ଜୀବସାର ବା ଭିଟାମିନ୍ ଏବଂ ଧାତୁସାର । 
 (iv) ପୁଷ୍ଟିସାର ଅଭାବରେ କ୍ବାସିଓରକର ରୋଗ ହୋଇଥାଏ । ଫଳରେ ଶିଶୁର ଗୋଡ, ହାତ ଓ ମୁହଁ ଫୁଲିଯାଏ । ଚର୍ମ ଶୁଖୁଲା ଦେଖାଯାଏ ଓ ଚର୍ମରେ ଘା’ ହୁଏ । ମୁଣ୍ଡବାଳ କହରା ହୋଇଯାଏ ଏବଂ ବାଳକୁ ଧରୁ ଧରୁ ଉପୁଡ଼ିଯାଏ । 
(v) ଶ୍ଵେତସାର ଓ ପୃଷ୍ଟିସାର ଅଭାବରେ ମାରାସମସ୍ ରୋଗ ହୋଇଥାଏ । ଏହା ଫଳରେ ରୋଗୀର ଗୋଡ଼ ଓ ହାତ ସରୁ ହୋଇଯାଏ । ଉଚ୍ଚତା ବଢ଼ିପାରେ ନାହିଁ । ବହୁତ ଭୋକ ଲାଗେ । 
(vi) ଭିଟାମିନ୍ -D ଅଭାବରୁ ଛୋଟ ପିଲାମାନଙ୍କୁ ରିକେଟସ ରୋଗ ହେବାବେଳେ ବୟସ୍କ ଲୋକମାନଙ୍କୁ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ ।

୨ । ଖାଦ୍ୟ ଅଭାବଜନିତ ରୋଗ କହିଲେ କ’ଣ ବୁଝ? ବିଭିନ୍ନ ଖାଦ୍ୟ ଅଭାବରୁ ହେଉଥିବା ରୋଗର ନାମ ଓ ଲକ୍ଷଣ ମଧ୍ୟରୁ ଯେକୌଣସି ୫ଟିର ସଂକ୍ଷିପ୍ତ ବିବରଣୀ ଲେଖ । 

 ଉ: (i) ଶରୀରରୁ ଖାଦ୍ୟର ଉପାଦାନ କମିଯାଇ ହେଉଥିବା ରୋଗକୁ ଖାଦ୍ୟଅଭାବଜନିତ ରୋଗ କୁହାଯାଏ । 
(ii) ଅପପୁଷ୍ଟି ବା କ୍ବାସିଓରକର, ରିକେଟସ୍, ମାରାସମସ୍, ସ୍କର୍ଭି ଓ ଅଷ୍ଟିଓମାଲେସିଆ ଆଦି ଖାଦ୍ୟାଭାବଜନିତ ରୋଗ ଅଟେ ।
(iii) ଅପପୁଷ୍ଟି ବା କ୍ବାସିଓରକର:- ଏହା ପୃଷ୍ଟିସାର ଅଭାବରୁ ହୁଏ । ଏହି ରୋଗ ହେଲେ ଶିଶୁର ଗୋଡ଼, ହାତ ଓ ମୁହଁ ଫୁଲିଯାଏ, ଚର୍ମ ଶୁଖୁଲା ଦେଖାଯାଏ ଓ ଚର୍ମରେ ଘା’ ହୁଏ । ମୁଣ୍ଡବାଳ କହରା ହୋଇଯାଏ ଏବଂ ବାଳକୁ ଧରୁ ଧରୁ ଉପୁଡ଼ି ଯାଏ । 
(iv) ମାରାସମସ : ଏହା ଶ୍ୱେତସାର ଓ ପୁଷ୍ଟିସାର ଅଭାବରୁ ହୋଇଥାଏ । ଏହି ରୋଗ ହେଲେ ଗୋଡ଼, ହାତ ସରୁ ହୋଇଯାଏ । ଉଚ୍ଚତା ବଢ଼ିପାରେ ନାହିଁ ଓ ବହୁତ ଭୋକ ଲାଗେ । 
 (v) ରିକେଟ୍ସ : ଏହା ଭିଟାମିନ୍-D ଅଭାବଜନିତ ରୋଗ । ଏହି ରୋଗ ଫଳରେ ଖପୁରି ହାଡ଼ ନରମ ହୋଇ ଫୁଲିଯାଏ ।
 ଅଷ୍ଟିଓମାଲେସିଆ : ଏହା ମଧ୍ୟ ଭିଟାମିନ୍ -D ଅଭାବଜନିତ ରୋଗ । ଏହି ରୋଗ ଫଳରେ ହାତଗୋଡ଼ ସରୁ ହେବା ସହ ବଙ୍କା ହୋଇଯାଏ । 
(vi) ସ୍କର୍ଭି : ଏହା ଭିଟାମିନ୍ -C ଅଭାବଜନିତ ରୋଗ । ଏହା ଫଳରେ ରକ୍ତସ୍ରାବ ହୁଏ ଓ ଦାନ୍ତ ମାଢ଼ି ଫୁଲିଯାଏ, ଘା’ ଚଞ୍ଚଳ ଶୁଖୁନଥାଏ ।

୩ । ଭିଟାମିନ୍ A, B, c ଓ Dର ଅଭାବରେ କେଉଁ କେଉଁ ରୋଗ ହୋଇଥାଏ ଲେଖ ।

 ଉ :(i) ଭିଟାମିନ୍ A ଅଭାବରେ ଅନ୍ଧାରକଣା ରୋଗ ହେବା ସହ ଚର୍ମ ଶୁଖୁଲା ଦେଖାଯାଏ । 
 (ii) ଭିଟାମିନ୍ B ଅଭାବରେ ବେରିବେରି, କଳଖିଆ, ଜିଭ ଘା, ରକ୍ତହୀନତା ରୋଗ ହୋଇଥାଏ । 
(iii) ଭିଟାମିନ୍ C ଅଭାବରେ ସ୍କର୍ଭି ରୋଗ ହୋଇଥାଏ।
(iv) ଭିଟାମିନ୍ D ଅଭାବରେ ରିକେଟସ ଓ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ । 

 ୪ । କେଉଁ କେଉଁ ଖାଦ୍ୟରେ ଧାତୁସାର ଥାଏ ? ଏହାର ଅଭାବରେ କେଉଁ କେଉଁ ରୋଗ ହୋଇଥାଏ ?

ଉ :(i) ଆମେ ଖାଉଥିବା ଶାଗ, କ୍ଷୀର, ଅଣ୍ଡା, କଦଳୀ, ଚୁନାମାଛ ଇତ୍ୟାଦି ଖାଦ୍ୟରେ ଧାତୁସାର ଥାଏ । 
(ii) ଲୁଣରେ ମଧ୍ୟ ଧାତୁସାର ଥାଏ । 
(iii) ଏହିସବୁ ଖାଦ୍ୟରୁ ଆମେ ସୋଡ଼ିୟମ୍, କ୍ୟାଲସିୟମ୍, ଲୌହ, ଗନ୍ଧକ ଇତ୍ୟାଦି ଧାତୁସାର ପାଇଥାଉ ।
 (iv) ଏହାର ଅଭାବରେ ରକ୍ତହୀନତା, ଅସ୍ଥିବଙ୍କା, ଗଳଗଣ୍ଡ ଇତ୍ୟାଦି ରୋଗ ହୁଏ । 
(v) ଏହି ରୋଗ ହେଲେ ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

୫ । ଗୋଷ୍ଠୀ ସଫେଇ କହିଲେ କ’ଣ ବୁଝ ? ଏହାଦ୍ୱାରା ଆମର କ’ଣ ଉପକାର ହୋଇଥାଏ ?

 ଉ :(i) ଯେଉଁ କାର୍ଯ୍ୟ ଗୋଷ୍ଠୀର ସହାୟତାରେ ହୋଇଥାଏ ବା କିଛି ଲୋକ ମିଳିମିଶି ସଫେଇ କରିଥାନ୍ତି, ତାହାକୁ ଗୋଷ୍ଠୀ ସଫେଇ କୁହାଯାଏ ।
 (ii) ମଶା ଓ ମାଛିଙ୍କ ବଂଶ ବୃଦ୍ଧି ନହେବା ପାଇଁ ଓ ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ଘରର ଚାରିପାଖକୁ ସଫାସୁତୁରା ରଖିବାକୁ ହେବ ।
 (iii) ଅଳିଆ ଆବର୍ଜନା ଓ ନାଳ ନର୍ଦ୍ଦମାର ଉପଯୁକ୍ତ ସଫେଇ ହେଲେ ପରିବେଶ ସୁସ୍ଥ ରହିବ ଓ ସମସ୍ତ ଲୋକ ସଂକ୍ରାମକ ରୋଗରୁ ରକ୍ଷା ପାଇବେ ।
 (iv) ଏହିସବୁ ସଫେଇ କାର୍ଯ୍ୟ ଗୋଷ୍ଠୀର ସହାୟତାରେ ବା ମିଳିମିଶି କରାଯିବା ଉଚିତ ।
 (v) ଏ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇବା ଉଚିତ ।

୬ । ରୋଗ ସୃଷ୍ଟି ହେବାର ପ୍ରଧାନ କାରଣଗୁଡ଼ିକ ଲେଖ। 

ଉ :(i) ସ୍ଵାସ୍ଥ୍ୟରକ୍ଷାର ନିୟମ ନ ମାନିବାଦ୍ୱାରା ହିଁ ବିଭିନ୍ନ ରୋଗ ସୃଷ୍ଟି ହୁଏ । 
(ii) ଅସ୍ବାସ୍ଥ୍ୟକର ପରିବେଶରେ ରହିଲେ ରୋଗ ଆକ୍ରମଣ କରେ । 
(iii) ସୁଷମଖାଦ୍ୟର ଅଭାବ ଓ ଅନିୟମିତ ତଥା ଦୂଷିତ ଖାଦ୍ୟ ଖାଇବା ଦ୍ବାରା ରୋଗ ଆକ୍ରମଣ କରେ ।
 (iv) ଦୂଷିତ ବାୟୁ ସେବନ କଲେ, ଦୂଷିତ ଜଳ ପାନ କଲେ ରୋଗ ଧରେ ।
 (v) ମଶା ମାଛି, ମୂଷାମାନଙ୍କ ବଂଶ ବୃଦ୍ଧି ମଧ୍ୟ ବିଭିନ୍ନ ରୋଗର କାରଣ ହୋଇଥାଏ । 

୭ । କୀଟମାନେ ଆଉ କି କି କ୍ଷତି କରିଥାନ୍ତି ଲେଖ ।

 ଉ :(i) ଜିଆ, ଦଶିପୋକ, ଅଙ୍କୁଶ କୃମି ଆଦି ଜୀବାଣୁ ନୁହଁନ୍ତି, ସେମାନେ କୀଟ । 
 (ii) ଏମାନେ ଶରୀର ମଧ୍ୟକୁ ପ୍ରବେଶ କରି ଆମ ଦେହରୁ ରକ୍ତ ଶୋଷଣ କରନ୍ତି ଓ ଆମକୁ ରୋଗାକ୍ରାନ୍ତ କରନ୍ତି । 
(iii) ଏହି କୀଟମାନଙ୍କର ଅଣ୍ଡା ମାଟିରେ ରହିଥାଏ । 
(iv) ଅଙ୍କୁଶକୃମିର ଅଣ୍ଡା ଏତେ କ୍ଷୁଦ୍ର ଯେ ଅତି ଶକ୍ତି ଯୁକ୍ତ ଅଣୁବୀକ୍ଷଣ ଯନ୍ତ୍ରରେ ହିଁ ଦେଖାଯାଏ ।
 (v) ଖାଲି ପାଦରେ ପଡ଼ିଆକୁ ଝାଡ଼ା ଗଲେ ଏହି କମି ତଳିପାଦର ଚମଡ଼ା ଫୁଟାଇ ଆମ ଶରୀରକୁ ପ୍ରବେଶ କରନ୍ତି ଓ ଆମର ବିଶେଷ କ୍ଷତି ଘଟାଇଥାଆନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ସ୍କର୍ଭି ଓ ଧନୁଷ୍ଟଙ୍କାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

ଉ: ସ୍କର୍ଭି

 (i) ଏହ। ଭିଟାମିନ -C ଅଭାବଜନିତ ରୋଗ ।
(ii) ଏହି ରୋଗ ହେଲେ ରୋଗୀର ବିଭିନ୍ନ ସ୍ଥାନରେ ରକ୍ତସ୍ରାବ ହୋଇଥାଏ, ଦାନ୍ତ ମାଢ଼ି ଫୁଲିଯାଏ ଏବଂ ଘା’ ଚଞ୍ଚଳ ଶୁଖୁ ନଥାଏ । ଦୁର୍ବଳ ମଧ୍ୟ ଲାଗେ।

ଧନୁଷ୍ଟଙ୍କାର

 (i) ଏହି ରୋଗ ବୀଜାଣୁ ଦ୍ଵାରା ଉତ୍ପନ୍ନ ହୋଇଥାଏ । 
(ii) ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ପ୍ରତିଷେଧକ ଟୀକା ନେବାକୁ ପଡ଼ିଥାଏ । ଏହି ଟୀକା ଉପଯୁକ୍ତ ସମୟରେ ନ ନେଲେ ଭବିଷ୍ୟତରେ ସେହି ରୋଗ ହେବାର ଆଶଙ୍କା ଥାଏ । ଫଳରେ ରୋଗୀ ମୃତ୍ୟୁମୁଖରେ ପଡ଼ିପାରେ ।

୨ । ପୁଷ୍ଟିସାର ଓ ଭିଟାମିନ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

ଉ: ପୁଷ୍ଟିସାର

 (i) କ୍ବାସିଓରକର ରୋଗ ପୁଷ୍ଟିସାର ଅଭାବଜନିତ ରୋଗ ଅଟେ । 
 (ii) ଏହି ରୋଗ ହେଲେ ଶିଶୁର ଗୋଡ଼, ହାତ ଓ ମୁହଁ ଫୁଲିଯାଏ, ଚର୍ମ ଶୁଖୁଲା ଦେଖାଯାଏ ଓ ଚର୍ମରେ ଘା’ ହୁଏ। ମୁଣ୍ଡବାଳ କହରା ହୋଇଯାଏ ଏବଂ ବାଳକୁ ଧରୁ ଧରୁ ଉପୁଡ଼ିଯାଏ ।

ଭିଟାମିନ୍


 (i) ଭିଟାମିନ୍ -D ଅଭାବରୁ ଛୋଟ ପିଲାଙ୍କୁ ରିକେଟସ ରୋଗ ହେବା ବେଳେ ବୟସ୍କ ଲୋକଙ୍କୁ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ । 
 (ii) ଭିଟାମିନ୍ A, B, C, D ବ୍ୟତୀତ ଭିଟାମିନ୍ E,K, କମ୍ପ୍ଲେକ୍ସ ଇତ୍ୟାଦି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସକ୍ଷମ ହୋଇଥାଏ ।

୩। ପୁଷ୍ଟିସାର ଓ ସ୍ନେହସାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।

ଉ: ପୁଷ୍ଟିସାର 

 (i) ପୁଷ୍ଟିସାର ଜାତୀୟ ଖାଦ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା- ଉଦ୍ଭିଜ ପୁଷ୍ଟିସାର | ଓ ପ୍ରାଣୀଜ ପୁଷ୍ଟିସାର । 
(ii) ଉଦ୍ଭିଜ ପୃଷ୍ଟିସାର ଡାଲି, ମଟର, ଶିମ୍ବ , ସୋୟାବିନ୍ । ପ୍ରାଣିଜ ପୁଷ୍ଟିସାର - ମାଛ, ମାଂସ, ଅଣ୍ଡା, କ୍ଷୀର, ଛେନା ।

ସ୍ନେହସାର 

 (i) ହାତକୁ  ତେଲିଆ ଲାଗୁଥିବା ଖାଦ୍ୟରେ ସ୍ନେହସାର  ଅଧିକ ଥାଏ ।
(ii) ସେଗୁଡ଼ିକ ହେଲା = ଚର୍ବି, ଲହୁଣି, ଘିଅ, ତେଲ, ଅଣ୍ଡାର କେଶର  ଇତ୍ୟାଦି ।

୪। କ୍ବାସିଓରକର ଓ ମାରାସମସ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।

କ୍ବାସିଓରକର

ଏହା ପୁଷ୍ଟିସାର ଅଭାବଜନିତ ରୋଗ । ଏହାର ଲକ୍ଷଣ ହେଲା - ଶିଶୁର ଗୋଡ଼, ହାତ ଓ ମୁହଁ ଫୁଲିଯାଏ, ଚର୍ମ ଶୁଖୁଲା ଦେଖାଯାଏ ଓ ଚର୍ମରେ ଘା’ ହୁଏ । ମୁଣ୍ଡବାଳ କହରା ହୋଇଯାଏ ଏବଂ ବାଳକୁ ଧରୁ ଧରୁ ଉପୁଡ଼ିଯାଏ ।

ମାରାସମସ୍ 

ଏହା ଶ୍ବେତସାର ଓ ପୁଷ୍ଟିସାର ଅଭାବଜନିତ ରୋଗ ଅଟେ। ଏହି ରୋଗ ହେଲେ ଗୋଡ଼ ଓ ହାତ ସରୁ ହୋଇଯାଏ । ଉଚ୍ଚତା ବଢ଼ି ପାରେ ନାହିଁ । ବହୁତ ଭୋକ ଲାଗେ।

୫। ପ୍ରତ୍ୟକ୍ଷ ସଂସ୍ପର୍ଶରେ ବ୍ୟାପୁଥିବା ୫ଟି ରୋଗର ନାମ ଲେଖ । 

 ଉ : ପ୍ରତ୍ୟେକ୍ଷ ସଂସ୍ପର୍ଶରେ ବ୍ୟାପୁଥିବା ୫ଟି ରୋଗ; ଯଥା ହାଡଫୁଟି, ବସନ୍ତ, ବିଭିନ୍ନ ଯୌନ ରୋଗ ସିଫଲସ୍, ବଜୋରିଆ ଓ କୃମି ଆଦି ରୋଗ । 

୬ | କେଉଁ ଦୁଇଟି ରୋଗର ନିରାକରଣ ପାଇଁ ଶିଶୁକୁ ଡି.ଟି. ଟିକା ଦିଆଯାଏ ? 

ଉ : (i) ଡିପଥେରିଆ (ii) ଟିଟାନସ୍

୭ । ମାରାସମସ କ’ଣ ?ଏହି ରୋଗର ଦୁଇଟି ଲକ୍ଷଣ ଲେଖ।

 ଉ :(i) ମାରାସମସ ହେଉଛି ଶ୍ଵେତସାର ଓ ପୃଷ୍ଟିସାର ଅଭାବଜନିତ ଏକ ରୋଗ ।
(ii) ଏହି ରୋଗରେ ଗୋଡ଼ ଓ ହାତ ସରୁ ହୋଇଯାଏ । (iii) ଉଚ୍ଚତା ବଢ଼ିପାରେ ନାହିଁ । ବହୁତ ଭୋକ ଲାଗେ। 

୮ ।ସଂକ୍ରାମକ ରୋଗ ବ୍ୟାପିବାର ଦୁଇଟି ମାଧ୍ୟମର ନାମ ଲେଖ । 

 ଉ : ସଂକ୍ରାମକ ରୋଗ ବ୍ୟାପିବାର ଦୁଇଟି ମାଧ୍ୟମ ହେଉଛି – 
 (i) ପ୍ରତ୍ୟକ୍ଷ ସଂସ୍ପର୍ଶରେ – ରୋଗୀର ଲୁଗାପଟା, ରୋଗୀ  ସହିତ ମିଶି ଖାଇବା ଏବଂ ତା ସହିତ ମିଳାମିଶା କରିବାଦ୍ୱାରା କାଛୁ, କୁଣ୍ଡିଆ, ସାଧାରଣ ଥଣ୍ଡା, ହାଡ଼ଫୁଟି, ବସନ୍ତ, ମିଳିମିଳା, କୃମି ଆଦି ରୋଗ ରୋଗୀର ପ୍ରତ୍ୟକ୍ଷ ସଂସ୍ପର୍ଶ ଦ୍ବାରା ବ୍ୟାପେ । 
 (ii) ଦୂଷିତ ଜଳ ମାଧ୍ୟମରେ - କୂଅ, ପୋଖରୀ, ନଈ ଓ ନାଳ ଇତ୍ୟାଦିର ପାଣି ବିଭିନ୍ନ କାରଣରୁ ଦୂଷିତ ହୋଇଥାଏ । ଦୂଷିତ ଜଳରେ ହଇଜା, ଝାଡ଼ାବାନ୍ତି, କାମଳ ଓ ଟାଇଫଏଡ୍ ଇତ୍ୟାଦି ରୋଗର ଜୀବାଣୁ ଥାଆନ୍ତି । ଏହି ଜଳକୁ ସୁସ୍ଥ ଲୋକ ପିଇଲେ ବା ବ୍ୟବହାର କଲେ ସେମାନଙ୍କୁ ସଂକ୍ରାମକ ରୋଗ ହୋଇଥାଏ ।

୯ ।ମାରାସମସ ରୋଗର ଲକ୍ଷଣଗୁଡ଼ିକ ଲେଖ ।

ଉ: (i) ଗୋଡ଼ ଓ ହାତ ସରୁ ହୋଇଯାଏ । 
 (ii) ଉଚ୍ଚତା ବଢ଼ିପାରେ ନାହିଁ । 
 (iii) ବହୁତ ଭୋକ ଲାଗେ । 

 ୧୦ । ଭିଟାମିନ୍ D ଅଭାବରେ ହେଉଥିବା ରୋଗରେ ରୋଗୀର କ’ଣ ହୁଏ ? 

ଉ :(i) ଭିଟାମିନ୍-D ଅଭାବରେ ରିକେଟସ ଓ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ । 
 (ii) ରିକେଟ୍ସ ରୋଗରେ ଖପୁରୀ ହାଡ଼ ନରମ ହୋଇ ଫୁଲିଯାଏ । 
 (iii) ଅଷ୍ଟିଓମାଲେସିଆ ରୋଗରେ ହାତଗୋଡ଼ ସରୁ ହୋଇଯିବା ସହିତ ବଙ୍କା ହୋଇଯାଏ । 

୧୧ । ଆମେ ଖାଦ୍ୟ କାହିଁକି ଖାଉ ? ଏହା ଆମର କ'ଣ ଉପକାର କରେ ? 

 ଉ :(i) ଆମେ ସୁସ୍ଥସବଳ ରହିବା ପାଇଁ ଖାଦ୍ୟ ଖାଇଥାଉ।
 (ii) ଏହି ଖାଦ୍ୟ ମଧ୍ୟରୁ କେତେକ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଥିବା ବେଳେ ଆଉ କେତେକ ଶରୀର ଗଠନରେ ସାହାଯ୍ୟ କରେ । 
 (iii) ଅନ୍ୟ କେତେକ ଖାଦ୍ୟ ମଧ୍ୟ ଶରୀରକୁ ରୋଗମୁକ୍ତ ରଖିଥାଏ ।

୧୨ । ଆମେ ସବୁଦିନ ଗୋଟିଏ ପ୍ରକାରର ଖାଦ୍ୟ କାହିଁକି ଖାଇ ନଥାଉ ? 

ଉ :(i) ବିଭିନ୍ନ ପ୍ରକାରର ଖାଦ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟସାର ଥାଏ । ସେଗୁଡ଼ିକ ମଧ୍ୟରୁ କେତେକ ଖାଦ୍ୟ ଆମକୁ ଶକ୍ତି ଦେଉଥିବା ବେଳେ ଆଉ କେତେକ ଖାଦ୍ୟ ଶରୀର ଗଠନରେ ସାହାଯ୍ୟ କରେ ।
 (ii) ଆଉ କେତେକ ଶରୀରକୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ । 

୧୩ । ଦୂଷିତ ଜଳ କହିଲେ ତୁମେ କ’ଣ ବୁଝ ? ଦୂଷିତ ଜଳ ପିଇଲେ କେଉଁ କେଉଁ ରୋଗ ହୋଇଥାଏ ? 

ଉ :(i) ଯେଉଁ ଜଳରେ ଶରୀରକୁ ହାନି ଘଟାଇବା ଭଳି ବିଭିନ୍ନ ଉପାଦାନ ଓ ରୋଗ ଜୀବାଣୁ ଥାଏ, ତାହାକୁ ଦୂଷିତ ଜଳ କୁହାଯାଏ । 
 (ii) ଦୂଷିତ ଜଳରେ ହଇଜା, ଝାଡ଼ାବାନ୍ତି, କାମଳ ଓ ଟାଇଫଏଡ୍  ଆଦି ରୋଗର ଜୀବାଣୁ ଥିବାରୁ ଏହି ଜଳକୁ ସୁସ୍ଥ ଲୋକ ପିଇଲେ ବା ବ୍ୟବହାର କଲେ ଏହି ସବୁ ରୋଗ ହୋଇଥାଏ ।

୧୪ । ତୁମକୁ ଗରମ ଖାଦ୍ୟ ଖାଇବା ପାଇଁ କାହିଁକି କୁହାଯାଏ ? 

ଉ :(i) କାରଣ ଗରମ ଖାଦ୍ୟ ଖାଇଲେ ସେଥିରେ ମାଛି ବସିବାର ସମ୍ଭାବନା ନଥାଏ ।
 (ii) ଗରମ ଖାଦ୍ୟ ସଂକ୍ରମିତ ହୋଇ ନଥାଏ । 

୧୫। ବାୟୁ ମାଧ୍ୟମରେ କେଉଁ କେଉଁ ରୋଗ କିପରି ବ୍ୟାପିଥାଏ ?

 ଉ :(i) ଯକ୍ଷ୍ମା, କାଶ, ସର୍ଦ୍ଦି, ବସନ୍ତ, ହାଡ଼ଫୁଟି, ଆଖିଧରା, ଲହରାକାଶ, ମିଳିମିଳା, ଗାଲୁଆ ପରି ଅନେକ ରୋଗ ବାୟୁ ମାଧ୍ୟମରେ ବ୍ୟାପିଥାଏ । 
(ii) ଏହିସବୁ ରୋଗର ଜୀବାଣୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କଠାରୁ କାଶ, ଛିଙ୍କ ଓ କଫ ଇତ୍ୟାଦି ମାଧ୍ୟମରେ ବାୟୁମଣ୍ଡଳକୁ ଚାଲିଆସନ୍ତି ଓ ସୁସ୍ଥ ଲୋକ ଦେହରେ ପ୍ରବେଶ କରି ସେମାନଙ୍କୁ ଆକ୍ରାନ୍ତ କରନ୍ତି ।

୧୬। ‘ଅଣୁଜୀବ’ କାହାକୁ କୁହାଯାଏ ? ଏଗୁଡ଼ିକୁ ଆମେ କେଉଁ ଯନ୍ତ୍ର ସାହାଯ୍ୟରେ ଦେଖିପାରିବା ? 

ଉ :(i) ଜୀବାଣୁ, ବୀଜାଣୁ, କବକ, ଆଦିପ୍ରାଣୀ, ଭୂତାଣୁ ଓ ଶୈବାଳ ଆଦିକୁ ଅଣୁଜୀବ କୁହାଯାଏ ।
(ii) ଅଣୁଜୀବଗୁଡ଼ିକ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ।
 (iii) ଏଗୁଡ଼ିକୁ ଆମେ ‘ଅଣୁବୀକ୍ଷଣ’ ଯନ୍ତ୍ର ସାହାଯ୍ୟରେ ଦେଖିପାରିବା ।

୧୭। ଦୁଇଟି ଅଣୁଜୀବର ନାମ ଲେଖ।

ଉ : (i) ଭୂତାଣୁ ଓ (ii) ଶୈବାଳ ଦୁଇଟି ଅଣୁଜୀବ ।

୧୮। ଅପପୁଷ୍ଟି ରୋଗର ଲକ୍ଷଣ ଗୁଡ଼ିକ କ'ଣ ? 

 ଉ :(i) ଅପପୁଷ୍ଟି ରୋଗ ହେଲେ ରୋଗୀର ମୁହଁ ଫୁଲିଯାଏ ଏବଂ ପେଟ ବାହାରିପଡ଼େ । 
(ii) ରୋଗୀର କୌଣସି କାର୍ଯ୍ୟରେ ଆଗ୍ରହ ଆସେ ନାହିଁ। 

୧୯ । ସ୍କର୍ଭି ରୋଗର ଲକ୍ଷଣଗୁଡ଼ିକ କ’ଣ ?

 ଉ :(i) ଦୁର୍ବଳ ଲାଗିବା । 
 (ii) ହାତ ଗଣ୍ଠିରେ ଯନ୍ତ୍ରଣା ହେବା । 
(iii) ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେବା ।
(iv) ଘା' ଚଞ୍ଚଳ ନ ଶୁଖିବା।

୨୦।ଚାରିଗୋଟି ବାୟୁବାହିତ ରୋଗ ଓ ଚାରିଗୋଟି ଜଳବାହିତ ରୋଗର ନାମ ଲେଖ ।

 ଉ :(i) ବସନ୍ତ, ଆଖିଧରା, ମିଳିମିଳା, ହାଡ଼ଫୁଟି ଆଦି ବାୟୁବାହିତ ରୋଗ । 
(ii) ପୋଲିଓ, କାମଳ, ଟାଇଫଏଡ୍ , ହଇଜା ଆଦି ଜଳବାହିତ ରୋଗ । 

୨୧ । ଭିଟାମିନ୍ B ଅଭାବରେ କେଉଁ କେଉଁ ରୋଗ ହୁଏ?

ଉ : ଭିଟାମିନ୍ B ଅଭାବରେ ବେରିବେରି, କଳଖିଆ, ଜିଭଘା’ ଓ ରକ୍ତହୀନତା ରୋଗ ଆଦି ହୋଇଥାଏ ।

୨୨ । କେଉଁ କେଉଁ ଖାଦ୍ୟରେ ଯଥେଷ୍ଟ ପରିମାଣରେ ଧାତୁସାର ଥାଏ ?

 ଉ : ଲୁଣ, ଶାଗ, ଦୁଧ, କଦଳୀ ଓ ଚୁନାମାଛି ଆଦି ଖାଦ୍ୟରେ ଯଥେଷ୍ଟ ପରିମାଣରେ ଧାତୁସାର ଥାଏ । 

୨୩ । ସଂକ୍ରାମକ ରୋଗ କାହାକୁ କହନ୍ତି ? ଚାରିଗୋଟି ସଂକ୍ରାମକ ରୋଗର ନାମ ଲେଖ । 

ଉ :(i) ଯେଉଁ ରୋଗ ଜଣକ ପାଖରୁ ଅନ୍ୟ ଜଣକ ପାଖକୁ ଯାଇଥାଏ କିମ୍ବା ସଂକ୍ରମିତ ହୋଇଥାଏ; ତାହାକୁ ସଂକ୍ରାମକ ରୋଗ କୁହାଯାଏ । 
(ii)ହଇଜା, ଯକ୍ଷ୍ମା, ହାଡ଼ଫୁଟି, ସାଧାରଣ ସର୍ଦ୍ଦି ମଧ୍ୟ ସଂକ୍ରାମକ ରୋଗ ଅଟନ୍ତି ।

 ୨୪ । ଖାଦ୍ୟାଭାବ ଜନିତ ରୋଗ କ’ଣ ? ଉଦାହରଣ ଦିଅ ।

ଉ :(i) ଶରୀରରୁ ଖାଦ୍ୟ ଉପାଦାନ କମିଯାଇ ହେଉଥିବା ରୋଗକୁ ଖାଦ୍ୟାଭାବ ଜନିତ ରୋଗ କୁହାଯାଏ । 
(ii) ଅପପୁଷ୍ଟି ବା କ୍ବାସିଓରକର ଏକ ଖାଦ୍ୟାଭାବଜନିତ ରୋଗ।

୨୫ । ଆମେ  ଚପଲ କାହିଁକି ବ୍ୟବହାର କରୁ ? 

ଉ :(i) ଅଙ୍କୁଶକୁମି ଅଣ୍ଡା ମାଟିରେ ପଡ଼ି ଶିଶୁ କୀଟ ଜନ୍ମ ହୁଏ । ଏହି କୀଟ ଏତେ ଛୋଟ ଯେ ଖାଲି ଆଖିକୁ ଦେଖାଯାଏ ନାହିଁ । 
(ii) ଆମେ ଖାଲି ପାଦରେ ଗଲେ ସେଗୁଡ଼ିକ ଆମ ଗୋଡ଼ବାଟ ଦେଇ ଶରୀରକୁ ପ୍ରବେଶ କରି ରୋଗ ସୃଷ୍ଟି କରାଏ । ଏଣୁ ଆମେ ଗୋଡ଼ରେ ଚପଲ ବ୍ୟବହାର କରୁ। 

୨୬ । ଆମେ ଦୂଷିତ ଜଳ ପିଇବା ନାହିଁ କାହିଁକି ? 

 ଉ :(i) ଦୂଷିତ ଜଳ, ରୋଗ ପ୍ରସାରର ଏକ ମାଧ୍ୟମ । 
(ii) ଜଳ ମାଧ୍ୟମରେ ରୋଗ ଜୀବାଣୁ ସୁସ୍ଥ ଲୋକ ଶରୀରକୁ ଯାଇ ରୋଗକ୍ରାନ୍ତ କରାଏ, ତେଣୁ ଆମେ ଦୂଷିତ ଜଳ ପିଇବା ନାହିଁ ।

 ୨୭ | ଫୁଟାପାଣି ପିଇବାଦ୍ୱାରା ହଇଜା ଓ କାମଳ ଭଳି କେତେକ ରୋଗକୁ କିଛି ପରିମାଣରେ କମାଯାଇପାରିବ କିପରି ? 

ଉ:- ହଇଜା ଓ କାମଳ ରୋଗ ବିଶେଷତଃ ଜଳ ମାଧ୍ୟମରେ ବ୍ୟାପେ ।
 (ii) ଦୂଷିତ ପାଣି ପିଇବା ଦ୍ଵାରା ଏହି ରୋଗ ହୋଇଥାଏ । ତେଣୁ ଫୁଟାପାଣି ପିଇବାଦ୍ୱାରା ହଇଜା ଓ କାମଳ ଭଳି ରୋଗକୁ କିଛି ପରିମାଣରେ କମାଯାଇ ପାରିବ ।

୨୮ । ଏଡସ୍ ରୋଗ କ’ଣ ?

 ଉ :(i) ଏହା ଏକ ଭୂତାଣୁ ଜନିତ ରୋଗ । 
(ii) ଏହା ଏଚ୍.ଆଇ.ଭି. ଭୂତାଣୁଦ୍ଵାରା ସଂକ୍ରମିତ ହୋଇଥାଏ । 
(iii)ଏହା ମୁଖ୍ୟତଃ ରକ୍ତ ଓ ଅନ୍ୟାନ୍ୟ ମାଧ୍ୟମଦ୍ଵାରା ଶରୀରକୁ ପ୍ରବେଶ କରିଥାଏ । 

 ୨୯ । ବୀଜାଣୁ, ଭୂତାଣୁ ଓ ଆଦିପ୍ରାଣୀମାନଙ୍କଦ୍ଵାରା ସୃଷ୍ଟି ହେଉଥିବା ରୋଗର ନାମ ଲେଖ । 

ଉ : ବୀଜାଣୁଦ୍ଵାରା ଉତ୍ପନ୍ନ ରୋଗ– ଯକ୍ଷ୍ମା, ଧନୁଷ୍ଟଙ୍କାର, ହଇଜା, ଟାଇଫଏଡ୍, ଡିପଥେରିଆ । 
ଭୂତାଣୁ ଦ୍ଵାରା ଉତ୍ପନ୍ନ ରୋଗ- ମିଳିମିଳା, ବସନ୍ତ, ହାଡ଼ଫୁଟି, ଆଖିଧରା, ଗାଲୁଆ 
ଆଦିପ୍ରାଣୀ ଦ୍ୱାରା ଉତ୍ପନ୍ନ ରୋଗ– ବାତଜ୍ବର, ମ୍ୟାଲେରିଆ, ଅଙ୍କୁଶକୃମି, କାଛୁ । 

୩୦।ସ୍ବାଇନ୍ ଫ୍ଲୁ ଦ୍ଵାରା ଆକ୍ରାନ୍ତ ରୋଗୀକୁ ଡାକ୍ତରଖାନାରେ କାହିଁକି ଅଲଗା ରଖାଯାଏ ? 

ଉ:- ସ୍ବାଇନ୍ ଫ୍ଲୁ  ଦ୍ଵାରା ଆକ୍ରାନ୍ତ ରୋଗୀକୁ ଡାକ୍ତରଖାନାରେ ଅଲଗା ରଖାଯାଏ । କାରଣ ଏହା ଏକ ସଂକ୍ରାମକ ରୋଗ। ଏହି ରୋଗର ଅଣୁଜୀବ ରୋଗୀ ଶରୀରରେ ଶହ ଶହ ସଂଖ୍ୟାରେ ଥାଆନ୍ତି । ଦ୍ରୁତଗତିରେ ଏହି ଅଣୁଜୀବମାନେ ସଂକ୍ରମିତ ହୋଇଥାନ୍ତି । ତେଣୁ ସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରେଇ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଥାଏ ।





Comments

Popular posts from this blog

ସାମାଜିକ ଶୃଙ୍ଖଳା

୬:-ମୋଗଲ ସାମ୍ରାଜ୍ୟର ପତନ