୩:-ମୋଗଲ ସାମ୍ରାଜ୍ୟ

୧। ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 

(କ) ତୋଗଲକ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇ ପଡ଼ିଲା କାହିଁକି ?

 ଉ : ତୋଗଲକ ବଂଶର ପତନ ପରେ ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ବେଖାତିର କରି ନିଜ ନିଜ ସ୍ଵାଧୀନତା ଘୋଷଣା କଲେ । ଫଳରେ ଅରାଜକତା ଓ ବିଶୃଙ୍ଖଳା ଘଟି ସୁଲତାନୀ ଶାସନ ଦୁର୍ବଳ ହୋଇ ପଡ଼ିଲା । 

(ଖ) ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି ? 

ଉ : ଦିଲ୍ଲୀରେ ଲୋଦୀ ବଂଶର ଶେଷ ଶାସକ ଇବ୍ରାହିମ୍ ଲୋଦୀ ଶାସନ କଲାବେଳେ ତାଙ୍କ ସେଚ୍ଛାଚାରୀ ଶାସନ ବିରୁଦ୍ଧରେ ଆଫଗାନ ଅମୀରମାନେ ଷଡଯନ୍ତ୍ର କଲେ । କାବୁଲର ରାଜା ବାବରଙ୍କ ସାହାଯ୍ୟ ନେବାରୁ ବାବର ଭାରତ ଆକ୍ରମଣ କରି ବିଜୟୀ ହୋଇ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇ ଥିଲେ ।
 
(ଗ) ହୁମାୟୁନ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇଥିଲେ ?
 
ଉ : ବାବରଙ୍କ ଜ୍ୟେଷ୍ଠପୁତ୍ର ହୁମାୟୁନ୍ ୧୫୩୦ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରି ଥିଲେ । ସେ ମୋଗଲ ସାମ୍ରାଜ୍ୟର ଦୁର୍ବଳ ଭିତ୍ତିଭୂମି, ଆଫଗାନମାନଙ୍କ ଦିଲ୍ଲୀ ଉପରେ ଆଖି ପକାଇବା ତଥା ନିଜ ଭାଇମାନଙ୍କ ଚକ୍ରାନ୍ତ ଇତ୍ୟାଦି ବିପଦର ସମ୍ମୁଖୀନ ହୋଇଥିଲେ ।

(ଘ) ଶେର ଖାଁ ହୁମାୟୁନଙ୍କୁ କିପରି ଅସୁବିଧାରେ ପକାଇଥିଲେ ?

 ଉ : ଶେର ଖାଁ ଆଫଗାନ ବିଦ୍ରୋହୀମାନଙ୍କ ମଧ୍ୟରେ ଅନ୍ୟତମ ପରାକ୍ରମୀ ଥିଲେ । ଶେର ଖାଁ ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ ଯଦ୍ଦ୍ବାରା ତାଙ୍କ ପ୍ରଭାବ ବିହାର ଓ ବଙ୍ଗରେ ପ୍ରତିଷ୍ଠିତ ହୋଇଥିଲା। ଏଭଳି ଭାବେ ଶେର ଖାଁ ହୁମାୟୁନଙ୍କୁ ବିପଦରେ ପକାଇଥିଲେ ।

 (ଙ) ଆକବର ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ କିପରି ?

 ଉ : ବୀର ଓ ଯୋଦ୍ଧା ମୋଗଲ ସମ୍ରାଟ ଆକବର କ୍ଷମତାସୀନ ହେବା ପରେ ଆଜମୀର, ଗୋଆଲିଅର ଆଦି ରାଜ୍ୟ ଜୟ କରିଥିଲେ; ରାଜପୁତମାନଙ୍କ ପ୍ରତି ଉଦାର ନୀତି ପୋଷଣ କରିଥିଲେ; ଜଣେ ରାଜପୁତ ରମଣୀକୁ ବିବାହ କରିଥିଲେ ଏବଂ ଆହୁରି ଅନେକ ରାଜ୍ୟ ଜୟ କରିଥିଲେ । ଏଭଳି ଭାବେ ସେ ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ ।

(ଚ) ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?ଏହି ଯୁଦ୍ଧର ଫଳାଫଳ କ’ଣ ହୋଇଥିଲା ? 

ଉ : ହଳଦୀଘାଟ ଯୁଦ୍ଧ ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା । ଏହି ଯୁଦ୍ଧରେ ଆକବର ତାଙ୍କ ପ୍ରଧାନ ସେନାପତି ମାନସିଂହଙ୍କ ନେତୃତ୍ୱରେ ରାଣା ପ୍ରତାପଙ୍କୁ ପରାସ୍ତ କରି ଚିତୋର ଦୁର୍ଗ ଅଧିକାର କରିଥିଲେ । 

(ଛ) ଆକବର କାହିଁକି ଉଦାର ଧର୍ମ ନୀତି ଗ୍ରହଣ କରିଥିଲେ?

ଉ : ଆକବର ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ଉଦାର ଧର୍ମନୀତି ଗ୍ରହଣ କରିଥିଲେ । ହିନ୍ଦୁମାନଙ୍କ ଉପରୁ ଜିଜିୟାକର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇ ସେମାନଙ୍କ ପର୍ବପର୍ବାଣିରେ ଯୋଗ ଦେଉଥିଲେ ।

(ଜ) ନୁରଜାହାନ୍ କିଏ ? ଜାହାଙ୍ଗୀର ଶାସନ କାଳରେ ତାଙ୍କର ଭୂମିକା କିପରି ଥିଲା ?

 ଉ :(i) ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ ନୁରଜାହାନ୍‌ ଜାହାଙ୍ଗୀରଙ୍କ ପତ୍ନୀ ଥିଲେ ।
 (ii) ନିଜର ରୂପ, ଗୁଣ ଓ ବୁଦ୍ଧି ବଳରେ ସେ ଜାହାଙ୍ଗୀରଙ୍କୁ ପ୍ରଭାବିତ କରିପାରିଥିଲେ । 
(iii) ଜାହାଙ୍ଗୀର ବିଳାସପୂର୍ଣ୍ଣ ଜୀବନଯାପନ କରି ଯେତେବେଳେ ଶାସନ କାର୍ଯ୍ୟରେ ଅବହେଳା କରୁଥିଲେ, ନୁରଜାହାନ୍ ଅନେକ ସମୟରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ।
(iv) ସରକାରୀ କାଗଜପତ୍ର ଓ ନିର୍ଦ୍ଦେଶନାମାରେ ନୁରଜାହାନ୍ ଦସ୍ତଖତ କରୁଥିଲେ | 
 (v) ସେ ସମୟରେ ମୁଦ୍ରାରେ ଜାହାଙ୍ଗୀରଙ୍କ ସହିତ ନୁରଜାହାନଙ୍କ ନାମ ମଧ୍ୟ ରହୁଥିଲା ।

 (ଝ) ଶାହାଜାହାନ୍‌ଙ୍କ ସଫଳ କୃତି ଗୁଡ଼ିକ କ’ଣ ଥିଲା ? 

 ଉ : ଶାହାଜାହାନଙ୍କ ସଫଳ କୃତିଗୁଡ଼ିକ ହେଲା ଆଗ୍ରାର ଯମୁନା ନଦୀ କୂଳରେ ତାଜମହଲ ନିର୍ମାଣ, ଶାହାଜାହାନବାଦ ନଗରୀ ପ୍ରତିଷ୍ଠା । ପୁଣି ସେ ଜୁମା ମସଜିଦ୍, ମୋତି ମସଜିଦ୍ ଓ ଅନେକ ସୌଧ ନିର୍ମାଣ କରିଥିଲେ । 

 (ଞ) ଔରଙ୍ଗଜେବଙ୍କର ହିନ୍ଦୁମାନଙ୍କ ପ୍ରତି ମନୋଭାବ କିପରି ଥିଲା ? 

 ଉ : ଔରଙ୍ଗଜେବଙ୍କ ହିନ୍ଦୁମାନଙ୍କ ପ୍ରତି ବିଦ୍ବେଷ ମନୋଭାବ ଥିଲା । ଏଣୁ ସେ ହିନ୍ଦୁମାନଙ୍କ ଉପରେ ପୁଣିଥରେ ଜିଜିୟା  ଓ ତୀର୍ଥଯାତ୍ରୀ କର ବସାଇ ଥିଲେ ତଥା ରାଜପୁତମାନଙ୍କୁ ହତାଦର କରୁଥିଲେ।

(ଟ) ମୋଗଲ ଶାସକମାନଙ୍କର ଅନ୍ୟ ଶାସକମାନଙ୍କ ସହ ସମ୍ପର୍କ କିପରି ଥିଲା ? 

ଉ : ମୋଗଲ ଶାସକମାନେ ଅତ୍ୟନ୍ତ କ୍ଷମତାଲିପସୁ ଥିବାରୁ ଅନ୍ୟ ଶାସକମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ । ଯେଉଁ ଶାସକମାନେ ତାଙ୍କ ବଶ୍ୟତା ସ୍ବୀକାର କରୁ ନଥିଲେ ସେମାନଙ୍କ ସହ ଯୁଦ୍ଧ କରୁଥିଲେ ।

 (o) ମୋଗଲମାନଙ୍କର ଧର୍ମନୀତି କିପରି ଥିଲା ? 

ଉ : ମୋଗଲ ସମ୍ରାଟମାନେ ଇସ୍‌ଲାମ ଧର୍ମାବଲମ୍ବୀ ଥିଲେ । ଔରଙ୍ଗଜେବଙ୍କ ବ୍ୟତୀତ ଅନ୍ୟମାନେ ଅତ୍ୟନ୍ତ ଉଦାର ଧର୍ମ ନୀତି ଅବଲମ୍ବନ କରି ଥିଲେ; ଫଳରେ ସମସ୍ତ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସୁସମ୍ପର୍କ ଥିଲା ।

( ଡ) ମୋଗଲ ଶାସନ ସମୟରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା ?

ଉ : ମୋଗଲ ଶାସନ ସମୟରେ ମୁସଲମାନ ସମାଜ ଚାରି ଶ୍ରେଣୀରେ ବିଭକ୍ତ ଥିଲା : ସମ୍ରାଟ, ସମ୍ଭ୍ରାନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ସର୍ବନିମ୍ନ ଶ୍ରେଣୀ ଏମାନଙ୍କ ମଧ୍ୟରୁ ସର୍ବନିମ୍ନ ଶ୍ରେଣୀର ଲୋକଙ୍କ ଅବସ୍ଥା ଶୋଚନୀୟ ଥିଲା । ହିନ୍ଦୁମାନେ ମଧ୍ୟବିତ୍ତ ଶ୍ରେଣୀର ଜୀବନ ଯାପନ କରୁଥିଲେ ।

(ଢ) ମୋଗଲ ରାଜତ୍ଵ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା ? 

 ଉ : ମୋଗଲ ରାଜତ୍ଵ କାଳରେ ପାର୍ସୀ, ଆରବୀ, ଉର୍ଦ୍ଦୁ, ହିନ୍ଦୀ ଭାଷା ଓ ସାହିତ୍ୟର ବିଶେଷ ଉନ୍ନତି ହୋଇଥିଲା । ବାବର, ହୁମାୟୁନ, ଜାହାଙ୍ଗୀର ଓ ଔରଙ୍ଗଜେବ ନିଜ ନିଜର ଆତ୍ମଚରିତ ଲେଖିଥିଲେ; କବୀର, ତୁଳସୀ ଦାସ, ରସ ଖାଁ ଇତ୍ୟାଦି ବିଭିନ୍ନ ଗ୍ରନ୍ଥ ରଚନା କରି ଭାଷା ଓ ସାହିତ୍ୟକୁ ପରିପୁଷ୍ଟ କରିଥିଲେ ।

 (ଣ) ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି ?

 ଉ : ମୋଗଲ ଶାସନ ସମୟରେ ଅଜସ୍ର ଅର୍ଥ ବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସଜିଦ୍, ସମାଧି, ସୌଧ ନିର୍ମିତ ହୋଇଥିଲା । ଏଣୁ ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ।

 ୨ । ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଇଛି।ସେଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍(√ ) ଚିହ୍ନ ଦିଅ ।

 (କ) ବାବରଙ୍କ ପିତାଙ୍କ ନାମ କ’ଣ ଥିଲା ?
() ଶେଖର ମିର୍ଜା, () ଉମର୍ ଶେଖ ମିର୍ଜା, () ଶେଖ ଉମର ମିର୍ଜା, () ଶେଖ୍ ମିର୍ଜା ।

 ଉ : (√) ଉମର ଶେଖ ମିଜା

(ଖ) ଘାଘରା ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା । 
() ୧୫୨୯ ଖ୍ରୀ, () ୧୫୩୦ ଖ୍ରୀ:, () ୧୫୩୧ ଖ୍ରୀ:,( ) ୧୫୩୨ ଖ୍ରୀଷ୍ଟାବ୍ଦ 

ଉ : (√) ୧୫୨୯ ଖ୍ରୀ: 

(ଗ) ପାରସ୍ୟର ବର୍ତ୍ତମାନ ନାମ କଣ ?
() ଇରାକ, () କୁଏତ୍, ( ) ସାଉଦି ଆରବ, () ଇରାନ୍ । 

ଉ : (√)  ଇରାନ୍

(ଘ) ଆକବରଙ୍କ ଅଭିଭାବକଙ୍କ ନାମ କ’ଣ ଥିଲା ?
() ବୈରାମ ଖାଁ,( ) ଛୋଟେ ଖାଁ,  () ବଡ଼େ ଖାଁ, () ଉମର ଖାଁ 

ଉ : ( √) ବୈରାମ ଖାଁ

(ଙ) ଆକବର ନିଜ ସାମ୍ରାଜ୍ୟକୁ କେତୋଟି ସୁବାରେ ଭାଗ କରିଥିଲେ ?
() ୧୨ଟି, () ୧୩ଟି, () ୧୪ଟି, () ୧୫ଟି

 ଉ : (√) ୧୫ଟି 

(ଚ) ଆକବରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ନାମ କ’ଣ ଥିଲା ?
()  ଅଲିମ୍, () ସଲିମ୍, () ଖୁରମ୍, () ହଲିମ୍ । 

ଉ: () ସଲିମ୍, 

(ଛ) ମୋଗଲ ଶାସନ ସମୟରେ ଗ୍ରାମଗୁଡ଼ିକୁ ନେଇ କ’ଣ ଗଠିତ ହୋଇଥିଲା ?
 () ଜିଲ୍ଲା, () ରାଜ୍ୟ,  ()ପ୍ରଗଣା, () ଦେଶ

 ଉ: (√) ପ୍ରଗଣା

(ଜ) ଅନ୍ଧକବି ସୁରଦାସ କ’ଣ ରଚନା କରିଥିଲେ ?
() ସୁର ସାଗର, () ଅମୃତ ସାଗର, () ରାମଚରିତ ମାନସ, () ପ୍ରେମ ବାଟିକା

 ଉ: (√) ସୁର ସାଗର

 (ଝ) ଫତେପୁର ସିକ୍ରୀ ରାଜପ୍ରାସାଦ କେଉଁ ପଥରରେ ନିର୍ମିତ ହୋଇଥିଲା ? 
() ମୁଗୁନି ପଥର,() ଲାଲ ପଥର,() ମାର୍ବଲ ପଥର ( ) ନୀଳ ପଥର

 ଉ : (√) ଲାଲ ପଥର

 ୩ । ଭୁଲ ଥିଲେ ଠିକ୍ କରି ଲେଖ ।

 (କ) ବାବର ଚେଙ୍ଗିଜ୍ ଖାଁଙ୍କ ବଂଶଧର ଥିଲେ ।

ଉ : ବାବର ତୈମୁରଲଙ୍ଗଙ୍କ ବଂଶଧର ଥିଲେ । 

(ଖ) ହୁମାୟୁନ୍ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ ।

 ଉ : ହୁମାୟୁନ୍ ବାହାଦୁର ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ ।

(ଗ) ମାନସିଂଙ୍କ ନେତୃତ୍ବରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ରତନଙ୍କୁ ପରାସ୍ତ କରିଥିଲେ ।

 ଉ : ମାନସିଂଙ୍କ ନେତୃତ୍ବରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ । 

(ଘ) ବୀରବଲ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ । 

ଉ : ତାନସେନ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।

 (ଙ) ଲାଲକିଲ୍ଲା ଆକବର ପ୍ରତିଷ୍ଠା କରିଥିଲେ । 

 ଉ : ଲାଲକିଲ୍ଲା ଶାହାଜାହାନ୍‌ ପ୍ରତିଷ୍ଠା କରିଥିଲେ ।

 (ଚ) ଔରଙ୍ଗଜେବ ଶିଖମାନଙ୍କ ନବମ ଗୁରୁ ଗୋବିନ୍ଦ ସିଂଙ୍କୁ ହତ୍ୟା କରିଥିଲେ । 

ଉ : ଔରଙ୍ଗଜେବ ଶିଖମାନଙ୍କ ନବମ ଗୁରୁ ତେଗବାହାଦୁରଙ୍କୁ ହତ୍ୟା କରିଥିଲେ । 

(ଛ) ମାରୱାରର ବର୍ତ୍ତମାନ ନାମ ଜୟପୁର ଅଟେ । 

 ଉ : ମାରୱାରର ବର୍ତ୍ତମାନ ନାମ ଯୋଧପୁର ଅଟେ ।

 (ଜ) ଆକବର ଉତ୍ପାଦନର ଏକଚତୁର୍ଥାଂଶ ଭୁ-ରାଜସ୍ବ ରୂପେ ନେଉଥିଲେ ।

 ଉ : ଆକବର ଉତ୍ପାଦନର ଏକ-ତୃତୀୟାଂଶ ରାଜସ୍ବ ରୂପେ ନେଉଥିଲେ । 

 (ଝ) ମୋଗଲ ଶାସନ କାଳରେ ମୁସଲମାନ ସମାଜ ୫ ଭାଗରେ ବିଭକ୍ତ ହୋଇଥିଲେ ।

 ଉ : ମୋଗଲ ଶାସନ କାଳରେ ମୁସଲମାନ ସମାଜ ଚାରି ଭାଗରେ ବିଭକ୍ତ ହୋଇଥିଲା ।

 (ଞ) ରମୁ ଖାଁ ସୁରସାଗର ରଚନା କରିଥିଲେ ।

ଉ : ସୁରଦାସ ‘ସୁରସାଗର’ ରଚନା କରିଥିଲେ ।

 ୪ । କ’ ସ୍ତମ୍ଭରେ ଥିବା ସମୟକୁ ‘ଖ’ ସ୍ତମ୍ଭରେ ଥିବା ଘଟଣାକୁ ଗାର ଦେଇ ଯୋଡ଼ । 

୧୫୩୦ ଖ୍ରୀଷ୍ଟାବ୍ଦ -ଆକବରଙ୍କ ଦ୍ବାରା ଇବାଦତଖାନା ନିର୍ମାଣ 
୧୫୭୫ ଖ୍ରୀଷ୍ଟାବ୍ଦ -ଜାହାଙ୍ଗୀରଙ୍କ ସିଂହାସନ ଆରୋହଣ
 ୧୬୦୫ ଖ୍ରୀଷ୍ଟାବ୍ଦ -ଶାହାଜାହାନଙ୍କ ମୃତ୍ୟୁ । 
୧୬୬୬ ଖ୍ରୀଷ୍ଟାବ୍ଦ- ଔରଙ୍ଗଜେବଙ୍କ ସିଂହାସନ ଆରୋହଣ 
୧୬୫୮ -ଖ୍ରୀଷ୍ଟାବ୍ଦ ହୁମାୟୁନଙ୍କ ସିଂହାସନ ଆରୋହଣ       ଆକବରଙ୍କ ମୃତ୍ୟୁ 

ଉ : ‘କ ସ୍ତମ୍ଭ        ଖ’ ସ୍ତମ୍ଭ ।
୧୫୩୦ ଖ୍ରୀଷ୍ଟାବ୍ଦ -ହୁମାୟୁନଙ୍କ ସିଂହାସନ ଆରୋହଣ
୧୫୭୫ ଖ୍ରୀଷ୍ଟାବ୍ଦ -ଆକବରଙ୍କ ଦ୍ବାରା ଇବାଦତଖାନା ନିର୍ମାଣ
୧୬୦୫ ଖ୍ରୀଷ୍ଟାବ୍ଦ -ଜାହାଙ୍ଗୀରଙ୍କ ସିଂହାସନ ଆରୋହଣ ଓ ଆକବରଙ୍କ ମୃତ୍ୟୁ 
୧ ୬୬୬ ଖ୍ରୀଷ୍ଟାବ୍ଦ -ଶାହାଜାହାନଙ୍କ ମୃତ୍ୟୁ 
୧୬୫୮ ଖ୍ରୀଷ୍ଟାବ୍ଦ -ଔରଙ୍ଗଜେବଙ୍କ ସିଂହାସନ ଆରୋହଣ


କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନୋତ୍ତର

୧।ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଭାରତରେ କାହିଁକି ଅରାଜକତା ଓ ବିଶୃଙ୍ଖଳା ଦେଖାଯାଇଥିଲା ? 

ଉ :(i) ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ତୁଘଲକ୍ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଥିଲା । 
 (ii) ଏହି ସୁଯୋଗରେ ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନଙ୍କୁ ବେଖାତିର କରି ନିଜ ନିଜର ସ୍ଵାଧୀନତା ଘୋଷଣା କରିଥିଲେ, ଯାହା ଫଳରେ ଭାରତରେ ଅରାଜକତା ଓ ବିଶୃଙ୍ଖଳା ଦେଖାଯାଇଥିଲା ।

 ୨ | ବାବର ଭାରତରେ କିପରି ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ? 

 ଉ :(i) ଦିଲ୍ଲୀରେ ଇବ୍ରାହିମ୍ ଲୋଦୀ ସ୍ୱେଚ୍ଛାଚାରୀ ଭାବେ ଶାସନ କରୁ ଥିଲେ । ଏଣୁ ଆଫଗାନ ଅମୀରମାନେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ । 
 (ii) ସେମାନେ କାବୁଲର ରାଜା ବାବରଙ୍କ ସାହାଯ୍ୟ ନେବାରୁ ବାବର ଭାରତ ଆକ୍ରମଣ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ପାନିପଥ ଯୁଦ୍ଧରେ ଇବ୍ରାହିମ୍ ଲୋଦୀଙ୍କୁ ପରାସ୍ତ କରି ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

 ୩ । ଖାନଓ୍ବା ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?

 ଉ : (i) ଖାନ୍ଓ୍ବା‌ ଯୁଦ୍ଧ ୧୫୨୭ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
(ii) ଏହା ବାବର ଓ ରାଣାସଙ୍ଗଙ୍କ ମଧ୍ୟରେ ହୋଇଥିଲା ଏବଂ ଏ ଯୁଦ୍ଧରେ ବାବର ବିଜୟୀ ହୋଇଥିଲେ ।

 ୪ । ବାବରଙ୍କ ଜୀବନର ଶେଷ ଯୁଦ୍ଧ କେଉଁଟି ? ଏହାର ଫଳାଫଳ କ’ଣ ଥିଲା ? 

ଉ : (i) ବାବରଙ୍କ ଜୀବନର ଶେଷ ଯୁଦ୍ଧ ଘର୍ଘରା ଯୁଦ୍ଧ ଯାହା ୧୫ ୨୯ ଖ୍ରୀଷ୍ଟାବ୍ଦରେ ହୋଇଥିଲା । 
(ii) ଏ ଯୁଦ୍ଧରେ ବାବର ନୁସରତ୍ ଓ ମାହମୁଦଙ୍କୁ ପରାସ୍ତ କରିଥିଲେ । 

୫ । ବାବର ଜଣେ ସୁସାହିତ୍ୟିକ ବୋଲି କାହିଁକି କହିବା ?

 ଉ : (i) ବାବର ଜଣେ ସୁସାହିତ୍ୟିକ ଥିଲେ । 
(ii) ସେ ତୁର୍କୀ ଭାଷାରେ ତାଙ୍କ ଆତ୍ମ ଜୀବନୀ ‘ବାବରନାମା' ଲେଖିଥିଲେ । ଏଣୁ ବାବରଙ୍କୁ ଆମେ ଜଣେ ସୁସାହିତ୍ୟିକ କହିବା ।

୬। ହୁମାୟୁନ୍ ତାଙ୍କ ରାଜ୍ୟ କିପରି ହରାଇଥିଲେ ?

 ଉ:(i)ହୁମାୟୁନଙ୍କଠାରେ ସାହସ ଓ ଦକ୍ଷତାର ଅଭାବ ପରିଲକ୍ଷିତ ହୋଇଥିଲା । 
(ii) ତାଙ୍କ ରାଜତ୍ଵ କାଳରେ ସେ ପରିସ୍ଥିତିର ମୁକାବିଲା କରି  ନ ପାରି ନିଜର ରାଜ୍ୟ ହରାଇ ଥିଲେ । ୧୫୪୦ ଖ୍ରୀଷ୍ଟାବ୍ଦରେ କନୌଜ ଯୁଦ୍ଧରେ ଶେରଶାହଙ୍କ ଦ୍ବାରା ପରାସ୍ତ ହେବା ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ଦାୟୀ । 

୭ । ଶେରଶାହା ଭାରତରେ କେବେ ଶାସନ କରିଥିଲେ ?

 ଉ : (i) ଶେରଶାହା ଭାରତରେ ୧୫୪୦ ଖ୍ରୀଷ୍ଟାବ୍ଦରୁ ୧୫୫୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ । 
 (ii) ସେ ୧୫୪୦ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କୁ ଯୁଦ୍ଧରେ ପରାସ୍ତ କରି ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ ।

 ୮ । ହିମୁ କିଏ ଥିଲେ ? 

 ଉ : (i) ହିମୁ ଶେରଶାହାଙ୍କ ବଂଶର ଜଣେ ରାଜାଙ୍କ ସୁଯୋଗ୍ୟ ମନ୍ତ୍ରୀ ଓ ସେନାପତି ଥିଲେ ।
(ii) ସେ ହୁମାୟୁନଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରିଥିଲେ । 

୯ । ଦ୍ଵିତୀୟ ପାନି ପଥ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?

 ଉ : (i) ଦ୍ଵିତୀୟ ପାନିପଥ ଯୁଦ୍ଧ ୧୫୫୬ ଖ୍ରୀଷ୍ଟାବ୍ଦରେ ହୋଇ ଥିଲା ।
 (ii) ଏହା ଆକବର ଓ ହିମୁଙ୍କ ମଧ୍ୟରେ ହୋଇଥିଲା । ଏହି ଯୁଦ୍ଧରେ ଆକବର ବିଜୟୀ ହୋଇଥିଲେ ।

୧୦ । ଆକବର ରାଜପୁତ ମାନଙ୍କ ପ୍ରତି କିଭଳି ନୀତି ପୋଷଣ କରିଥିଲେ ?

 ଉ : (i) ଆକବର ରାଜପୁତମାନଙ୍କ ପ୍ରତି ଉଦାର ନୀତି ପୋଷଣ କରିଥିଲେ । 
 (ii) ସେ ନିଜେ ଜଣେ ରାଜପୁତ ରମଣୀଙ୍କୁ ବିବାହ ମଧ୍ୟ କରିଥିଲେ ।

 ୧୧। ମୋଗଲ ସମ୍ରାଟ ଆକବର ଶାସନ କ୍ଷେତ୍ରରେ କି କି ଦାୟିତ୍ବରେ ଥିଲେ ?

 ଉ : (i) ମୋଗଲ ସମ୍ରାଟ ଆକବର ପ୍ରଜାମଙ୍ଗଳକାରୀ ରାଜା ଥିଲେ ।
 (ii) ସେ ଶାସନର ସର୍ବୋଚ୍ଚ କର୍ତ୍ତା, ସେନାବାହିନୀର ମୁଖ୍ୟ ଏବଂ ସର୍ବୋଚ୍ଚ ନ୍ୟାୟାଧୀଶ ଥିଲେ ।

 ୧୨। ଆକବର ତାଙ୍କ ସାମ୍ରାଜ୍ୟକୁ କିପରି ଭାଗ ଭାଗ କରିଥିଲେ ?

 ଉ : (i) ଆକବର ତାଙ୍କ ସାମ୍ରାଜ୍ୟକୁ ୧୫ଟି ସୁବା (ପ୍ରଦେଶ)ରେ; ପ୍ରତ୍ୟେକ ସୁବାକୁ ସରକାର (ଜିଲ୍ଲା)ରେ ଭାଗ କରିଥିଲେ ।
(ii) ପୁଣି ପ୍ରତ୍ୟେକ ସରକାରକୁ କେତେକ ପ୍ରଗଣାରେ ଭାଗ  ଭାଗ କରିଥିଲେ, ଯାହା କେତୋଟି ଗ୍ରାମକୁ ନେଇ ଗଠିତ ହୋଇଥିଲା । 

 ୧୩। 'ମନସବ୍' ପଦବୀର ଅର୍ଥ କ'ଣ ? 

ଉ : (i) ‘ମନସବ’ ପଦବୀର ଅର୍ଥ ଏକ ସାମରିକ ପଦବୀ । ମନ୍ ସବ୍ ଙ୍କ ଅଧୀନରେ କିଛି ସଂଖ୍ୟକ ସୈନ୍ୟ ରହୁଥିଲେ । 
(ii) ସୈନ୍ୟବାହିନୀକୁ ଅଧିକ ଶକ୍ତି ଶାଳୀ କରିବା ପାଇଁ ଆକବର ଏହି ପଦବୀ ସୃଷ୍ଟି କରିଥିଲେ । 

୧୪। ତାଜମହଲ କିଏ ଓ କାହିଁକି ନିର୍ମାଣ କରିଥିଲେ ? 

ଉ : (i) ତାଜମହଲ ଶାହାଜାହାନ୍ ନିର୍ମାଣ କରିଥିଲେ । 
(ii) ତାଙ୍କ ପତ୍ନୀ ମୁମତାଜଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏହା ନିର୍ମାଣ କରିଥିଲେ ।

ଗୋଟିଏ ବାକ୍ୟରେ ଉତ୍ତର ଦିଅ।

 ୧। ଲାଲକିଲ୍ଲା ମୋଗଲ ଶାସନ ସମୟରେ କ’ଣ ଥିଲା ? 

ଉ : ଲାଲକିଲ୍ଲା ମୋଗଲ ଶାସନ ସମୟରେ ମୋଗଲ ସମ୍ରାଟମାନଙ୍କ ବାସଭବନ ଥିଲା । 

୨ | ସ୍ଵାଧୀନୋତ୍ତର ଭାରତରେ ଲାଲକିଲ୍ଲାକୁ କିପରି ଭାବେ ବ୍ୟବହାର କରାଯାଉଛି ?

 ଉ : ସ୍ଵାଧୀନୋତ୍ତର ଭାରତରେ ଲାଲକିଲ୍ଲାରେ ପ୍ରତିବର୍ଷ ଭାରତର ପ୍ରଧାନମନ୍ତ୍ରୀ (ଅଗଷ୍ଟ ୧୫ଦିନ) ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦିଅନ୍ତି । 

୩। ବାବର ଭାରତରେ କେବେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?

 ଉ : ବାବର ୧୫୨୬ ଖ୍ରୀଷ୍ଟାବ୍ଦରେ ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

୪। ବାବର ଚନ୍ଦେରୀ ଦୁର୍ଗ କେବେ ଅଧିକାର କରିଥିଲେ ? 

ଉ : ବାବର ୧୫୨୮ ଖ୍ରୀଷ୍ଟାବ୍ଦରେ ମେଦିନୀ ରାଓଙ୍କୁ ଯୁଦ୍ଧରେ ପରାସ୍ତ କରି ଚନ୍ଦେରୀ ଦୁର୍ଗ ଅଧିକାର କରିଥିଲେ । 

୫।ହୁମାୟୁନ୍ କେତେ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ?

 ଉ : ବାବରଙ୍କ ମୃତ୍ୟୁ ପରେ ତାଙ୍କ ଜ୍ୟେଷ୍ଠପୁତ୍ର ହୁମାୟୁନ୍ ୧୫୩୦ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।

୬ । ଖାନୁୱା କେଉଁଠି ଅବସ୍ଥିତ ? 

ଉ : ଆଗ୍ରାଠାରୁ ପ୍ରାୟ ୩୨ କି.ମି. ଦୂର ଫତେପୁର ନିକଟରେ ଖାନୁୱା ନାମକ ସ୍ଥାନ ଅବସ୍ଥିତ । 

 ୭ । ହୁମାୟୁନ୍ କାହାକୁ ପରାସ୍ତ କରି ଗୁଜୁରାଟ ଓ ମାଳବ ଅଧିକାର କରିଥିଲେ ?  

 ଉ : ହୁମାୟୁନ୍ ବାହାଦୁର ଶାହାଙ୍କୁ ପରାସ୍ତ କରି ଗୁଜୁରାଟ ଓ ମାଳବ ଅଧିକାର କରିଥିଲେ । 

୮ । ହୁମାୟୁନ୍ କେବେ ଚୁନାର ଦୁର୍ଗ ଅଧୁକାର କରିଥିଲେ ? 

 ଉ : ହୁମାୟୁନ୍ ୧୫୩୭ ଖ୍ରୀଷ୍ଟାବ୍ଦରେ ଚୁନାର ଦୁର୍ଗ ଅଧିକାର କରିଥିଲେ । 

୯।୧୫୩୯ ଖ୍ରୀଷ୍ଟାବ୍ଦରେ ହୁମାୟୁନ୍ କେଉଁ ଯୁଦ୍ଧରେ ଶେର ଖାଁଙ୍କ ଦ୍ଵାରା ପରାସ୍ତ ହୋଇଥିଲେ ? 

ଉ : ୧୫୩୯ ଖ୍ରୀଷ୍ଟାବ୍ଦରେ ହୁମାୟୁନ୍ ଚୌସା ଯୁଦ୍ଧରେ ଶେର ଖାଁଙ୍କ ଦ୍ଵାରା ପରାସ୍ତ ହୋଇଥିଲେ ।

 ୧୦| ଆକବର ମୋଗଲ ସମ୍ରାଟ ଭାବେ ଅଭିଷିକ୍ତ ହେବା ବେଳେ ତାଙ୍କୁ କେତେ ବୟସ ହୋଇଥିଲା ?

 ଉ : ଆକବର ମୋଗଲ ସମ୍ରାଟ ଭାବେ ଅଭିଷିକ୍ତ ହେବା ବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା ।

୧୧।ରାଜପୁତମାନଙ୍କ ପ୍ରତି ଆକବର କିଭଳି ସମ୍ପର୍କ ସ୍ଥାପନ କରିଥିଲେ ?

 ଉ : ରାଜପୁତମାନଙ୍କ ପ୍ରତି ଆକବର ଉଦାର ନୀତି ପୋଷଣ କରି ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ । 

୧୨ ।ଆକବରଙ୍କ ରାଜସ୍ବ ମନ୍ତ୍ରୀଙ୍କ ନାମ କଣ ଥିଲା ? 

 ଉ : ଆକବରଙ୍କ ରାଜସ୍ବ ମନ୍ତ୍ରୀଙ୍କ ନାମ ତୋଡରମଲ୍ଲ ଥିଲା। 

୧୩। ‘ଇବାଦତଖାନା’ କ’ଣ ?

 ଉ : ୧୫୭୫ ଖ୍ରୀଷ୍ଟାବ୍ଦରେ  ଆକବରଙ୍କ ଦ୍ଵାରା ଫତେପୁରସିକ୍ରୀଠାରେ ନିର୍ମିତ ଉପାସନା ଗୃହର ନାମ ‘ଇବାଦତଖାନା’ । 

୧୪। ଜାହାଙ୍ଗୀରଙ୍କ ପତ୍ନୀଙ୍କ ନାମ କ’ଣ ? 

 ଉ : ଜାହାଙ୍ଗୀରଙ୍କ ପତ୍ନୀଙ୍କ ନାମ ନୁରଜାହାନ । 

୧୫। ଜାହାଙ୍ଗୀରଙ୍କ ଶାସନର ଶେଷ ବର୍ଷରେ (୧୬୨୭ ଖ୍ରୀଷ୍ଟାବ୍ଦରେ) କେଉଁ ରାଜକୁମାରମାନେ ବିଦ୍ରୋହ କରିଥିଲେ ?

ଉ:ଜାହାଙ୍ଗୀରଙ୍କ ଶାସନର ଶେଷ ବର୍ଷରେ (୧୬୨୭ଖ୍ରୀଷ୍ଟାବ୍ଦ) ରାଜକୁମାର ଖୁରମ୍ ଓ ଶାହାଜାହାନ୍  ବିଦ୍ରୋହ କରିଥିଲେ । 

୧୬ ।ଶାହାଜାହାନ୍ କେଉଁ ରାଜ୍ୟ ତିନି ଥର ଅଧିକାର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ ? 

ଉ : ଶାହାଜାହାନ୍ କାନ୍ଦାହାର ରାଜ୍ୟ ତିନିଥର ଅଧିକାର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ ।

୧୭ । ଶାହାଜାହାନ ବାଦ୍ ନଗରୀ କେଉଁଠି ପ୍ରତିଷ୍ଠିତ ହୋଇଥିଲା ? 

ଉ : ଶାହାଜାହାବାଦ ନଗରୀ ଦିଲ୍ଲୀ ଉପକଣ୍ଠ ଯମୁନା ନଦୀ କୂଳରେ ପ୍ରତିଷ୍ଠିତ ହୋଇଥିଲା । 

୧୮।ଔରଙ୍ଗଜେବଙ୍କ କି ଦୁର୍ଗୁଣ ଯୋଗୁଁ ରାଜପୁତ ଓ ମରହଟ୍ଟାମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ?

 ଉ : ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ ହିନ୍ଦୁ ବିଦ୍ବେଶୀ ଦୁର୍ଗୁଣ ଯୋଗୁଁ ରାଜପୁତ ଓ ମରହଟ୍ଟାମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । 

୧୯। ଔରଙ୍ଗଜେବ କେଉଁ ଶିଖ ଗୁରୁଙ୍କୁ ହତ୍ୟା କରିଥିଲେ ?

 ଉ : ଔରଙ୍ଗଜେବ ଶିଖମାନଙ୍କ ନବମଗୁରୁ ତେଗବାହାଦୁରଙ୍କୁ ହତ୍ୟା କରିଥିଲେ । 

 ୨୦। ଔରଙ୍ଗଜେବ କିପରି ଭାବେ ଚଟ୍ଟଗ୍ରାମ୍ ଅଧିକାର କରିଥିଲେ ?

 ଉ : ଔରଙ୍ଗଜେବ ପର୍ତ୍ତୁଗୀଜ୍ ଓ ଜଳଦସ୍ୟୁମାନଙ୍କୁ ଜବତ କରି ଚଟ୍ଟଗ୍ରାମ ଅଧିକାର କରିଥିଲେ । 

୨୧।ଜାହାଙ୍ଗୀରଙ୍କ ମାତା କିଏ ଥିଲେ ? 

ଉ : ଜାହାଙ୍ଗୀରଙ୍କ ମାତା ଅମ୍ବର (ଜୟପୁର) ଶାସକଙ୍କ ରାଜପୁତ କନ୍ୟା ଥିଲେ । 

୨୨। ମୋଗଲ ଶାସନ ସମୟରେ ପ୍ରଗଣା କିପରି ଗଠିତ ହୋଇଥିଲା ? 

ଉ : ମୋଗଲ ଶାସନ ସମୟରେ କେତେ ଗୁଡ଼ିଏ ଗ୍ରାମକୁ ନେଇ ପ୍ରଗଣା ଗଠିତ ହୋଇଥିଲା ।

୨୩।ଜାହାଙ୍ଗୀରଙ୍କ ରାଜ ଦରବାରରେ କିଏ ଶ୍ରେଷ୍ଠ ଚିତ୍ରକର ଥିଲେ ? 

ଉ : ଜାହାଙ୍ଗୀରଙ୍କ ରାଜ ଦରବାରରେ ବିସନ ଦାସ ଶ୍ରେଷ୍ଠ ଚିତ୍ରକର ଥିଲେ ।

Comments

Popular posts from this blog

୪:-ମାନବିକ ଅଧିକାର

୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ