୨:-ବାୟୁମଣ୍ଡଳ

୧ । ବାୟୁମଣ୍ଡଳର ସ୍ତରଗୁଡ଼ିକର ନାମ ଲେଖ ଓ ସେଗୁଡ଼ିକ ସଂପର୍କରେ ସଂକ୍ଷେପରେ ଆଲୋଚନା କର । 
ଉ : ସମୁଦ୍ରପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି । ବାୟୁମଣ୍ଡଳର ତାପମାତ୍ରାକୁ ଭିତ୍ତିକରି ବାୟୁମଣ୍ଡଳକୁ ୫ଗୋଟି ସ୍ତରରେ ବିଭକ୍ତ କରାଯାଏ । ଯଥା : ଟ୍ରପୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ମେସୋସ୍ଫିୟର, ଥର୍ମୋସ୍ଫିୟର ଏବଂ ଏକ୍ସୋସ୍ଫିୟର । 
ଟ୍ରପୋସ୍ଫିୟର : ଏହି ସ୍ତରଟି ପୃଥିବୀକୁ ଲାଗିରହିଛି ଓ ଏହା ବାୟୁମଣ୍ଡଳର ସର୍ବନିମ୍ନ ସ୍ତର । ଏହାର ହାରାହାରି ଉଚ୍ଚତା ପ୍ରାୟ୧୭ କିଲୋମିଟର । ମେରୁ ଅଞ୍ଚଳରେ ଏହାର ଉଚ୍ଚତା ପ୍ରାୟ ୮ କିଲୋମିଟର ଏବଂ ବିଷୁବ ଅଞ୍ଚଳରେ ପ୍ରାୟ ୧୬ କିଲୋମିଟର । ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ସମସ୍ତ ପରିବର୍ତ୍ତନ ଏହି ସ୍ତରରେ ହୋଇଥାଏ ଏବଂ ଏହି ସ୍ତରଟି ଜୀବଜଗତ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । 
 ଷ୍ଟ୍ରାଟୋସ୍ଫିୟର :ଟ୍ରପୋସ୍ଫିୟର ଉପରକୁ ଥିବା ସ୍ତରଟି   ଷ୍ଟ୍ରାଟୋସ୍ଫିୟର ଅଟେ । ଏହା ପ୍ରାୟ ୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହି ସ୍ତରରେ ଧୂଳିକଣା ଓ ଜଳୀୟ ବାଷ୍ପ ନଥାଏ । ବିମାନ ଚଳାଚଳ ପାଇଁ ଏହା ଏକ ଅନୁକୂଳ ସ୍ତର । ଏହି ସ୍ତରର ନିମ୍ନାଂଶରେ ଓଜୋନ ଗ୍ୟାସ୍ ରହିଛି । ଏହା ଆମକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ପ୍ରଭାବରୁ ରକ୍ଷା କରିଥାଏ । 
ମେସୋସ୍ଫିୟର : ଏହି ସ୍ତରଟି ଷ୍ଟ୍ରାଟୋସ୍ଫିୟର ଉପରକୁ ଅବସ୍ଥିତ। ଏହା ପ୍ରାୟ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି‌। ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ ।
ଥର୍ମୋସ୍ଫିୟର : ମେସୋସ୍ଫିୟର ଉପର ସ୍ତରକୁ ଥର୍ମୋସ୍ଫିୟର କୁହାଯାଏ । ଏହା ୮୦ କି.ମି. ଠାରୁ ବାୟୁମଣ୍ଡଳ ଶେଷ ପର୍ଯ୍ୟନ୍ତ  ବିସ୍ତୃତ । ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇଥାଏ । ଏହି ସ୍ତରର ନିମ୍ନ ଭାଗକୁ ଆୟୋନସ୍ଫିୟର କୁହାଯାଏ । ଆୟୋନସ୍ଫିୟର ଯୋଗୁଁ ଦୂରସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ସମ୍ଭବ ହୋଇଥାଏ । 
ଏକ୍ସୋସ୍ଫିୟର  : ଏହି ସ୍ତରଟି ବାୟୁମଣ୍ଡଳର ବାହ୍ୟସ୍ତର ଅଟେ । ଏଠାରେ ବାୟୁ ଅତି ପତଳା । ହିଲିୟମ୍ ଓ ଉଦଜାନ  ଭଳି ହାଲୁକା ଗ୍ୟାସ୍ ଏହି ସ୍ତରରେ ରହିଅଛି । 
 ୨ । ଜଳବାୟୁର ନିୟାମକଗୁଡ଼ିକ ଲେଖ । ଯେକୌଣସି ଦୁଇଟି ନିୟାମକ ଉପରେ ଆଲୋଚନା କର । 
ଉ : କୌଣସି ଅଞ୍ଚଳର ପାଣି ପାଗ ଓ ଜଳବାୟୁକୁ ଅନେକଗୁଡ଼ିଏ ନିୟାମକ ନିୟନ୍ତ୍ରଣ କରିଥା'ନ୍ତି । ଯଥା— କୌଣସି ସ୍ଥାନର ଅକ୍ଷାଂଶ, ସମୁଦ୍ର ପତ୍ତନରୁ ଉଚ୍ଚତା, ଜଳ ଓ ସ୍ଥଳଭାଗର ବଣ୍ଟନ, ସାମୁଦ୍ରିକ ସ୍ରୋତ, ପବନର ଦିଗ ଏବଂ ଉଦ୍ଭିଦ । 
 (i) ଅକ୍ଷାଂଶ : ପୃଥିବୀ ପୃଷ୍ଠରେ ସୌରରଶ୍ମି ସଂଗ୍ରହର ପରିମାଣ ସ୍ଥାନର ଅକ୍ଷାଂଶ ଉପରେ ସଂପୂର୍ଣ୍ଣ ନିର୍ଭର କରିଥାଏ । ବିଷୁବ ଅଞ୍ଚଳରେ ସୂର୍ଯ୍ୟରଶ୍ମି ଲମ୍ବ ବା ସଳଖ ଭାବରେ ପଡୁଥିବାରୁ ସେଠାରେ ତାପମାତ୍ରା ଅଧିକ ହୋଇଥାଏ । ବିଷୁବବୃତ୍ତଠାରୁ ମେରୁଆଡ଼କୁ ତାପମାତ୍ରା କ୍ରମଶଃ ହ୍ରାସ ପାଇଥାଏ ।
 (I) ସମୁଦ୍ର ପତ୍ତନଠାରୁ ଉଚ୍ଚତା : ସମୁଦ୍ର ପତ୍ତନରେ ବାୟୁର ତାପମାତ୍ରା ଅଧ୍ୟକ ରହୁଥିବାରୁ ଉଚ୍ଚତା ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ମାଳଭୂମି ତଥା ଉଚ୍ଚ ପର୍ବତଗୁଡ଼ିକର ଜଳବାୟୁ ଶୀତଳ ଅଟେ । ସେହିପରି ସମୁଦ୍ର ପତ୍ତନରେ ବାୟୁର ଘନତା ଅଧିକ ହେତୁ ବାୟୁ ଚାପ ମଧ୍ୟ ଅଧିକ ରହେ । ତେଣୁ ଉଚ୍ଚତା ବୃଦ୍ଧି ସହ ବାୟୁ ପତଳା ହୋଇ ବାୟୁଚାପ ହ୍ରାସ ପାଏ ।
 ୩ । ପୃଥିବୀର ଚାପ ବଳୟର ଚିତ୍ର ଆଙ୍କ । ବିଭିନ୍ନ ଚାପ ବଳୟ ଉପରେ ସଂକ୍ଷେପରେ ବର୍ଣ୍ଣନା କର ।
 ଉ : ବାୟୁର ଚାପ ଅଧିକ ହେଲେ ଗୁରୁଚାପ ଏବଂ କମ୍ ହେଲେ ଲଘୁଚାପ ହୋଇଥାଏ । ତାପମାତ୍ରାରେ ଭିନ୍ନତା ହେତୁ ପୃଥିବୀ ପୃଷ୍ଠରେ ବାୟୁଚାପରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ତେଣୁ ତାପମାତ୍ର। ଭିନ୍ନତା ଦୃଷ୍ଟିରୁ ପୃଥିବୀକୁ ସାତୋଟି ଚାପବଳୟରେ ବିଭକ୍ତ କରାଯାଇଛି ।

(i) ନିରକ୍ଷୀୟ ଲଘୁଚାପ ବଳୟ : ନିରକ୍ଷ ବୃତ୍ତର ଉଭୟ ପାର୍ଶ୍ଵରେ ୫° ସମାକ୍ଷରେଖା ମଧ୍ୟରେ ବର୍ଷସାରା ସୂର୍ଯ୍ୟକିରଣ ଲମ୍ବ ଭାବରେ ପଡ଼େ । ଫଳରେ ଏଠାରେ ତାପମାତ୍ରା ଅଧିକ ରହେ ଓ ବାୟୁଚାପ ହ୍ରାସପାଏ । ଏହାକୁ ନିରକ୍ଷ ଲଘୁଚାପ ବଳୟ କୁହାଯାଏ । ଏଠାକାର ବାୟୁମଣ୍ଡଳ ଶାନ୍ତ  ଓ ଚଳନଶୂନ୍ୟ ହୋଇଥିବାରୁ ଏହାକୁ ‘ନିରକ୍ଷ ଶାନ୍ତ ବଳୟ' କୁହାଯାଏ । ଏହି ଅଞ୍ଚଳରେ ପ୍ରାୟ ପ୍ରତ୍ୟହ ବୃଷ୍ଟିପାତ ହୋଇଥାଏ । 
 (ii) ଉପକ୍ରାନ୍ତୀୟ ଗୁରୁଚାପ ବଳୟ : ଏହି ବଳୟଟି ଉଭୟ  ଗୋଲାର୍ଦ୍ଧରେ ପ୍ରାୟ ୨୫°ରୁ ୩୫° ସମାକ୍ଷରେଖା ମଧ୍ୟରେ  ଅବସ୍ଥିତ । ନିରକ୍ଷ ଅଞ୍ଚଳର ଊର୍ଦ୍ଧ୍ବଗାମୀ ବାୟୁ ଉଭୟ ଗୋଲାଦ୍ଧର ମେରୁ ଆଡ଼କୁ ଗତି କରିବା ଫଳରେ ଏହା ପ୍ରସାରିତ ହୋଇ ଶୀତଳ ଓ ଭାରୀ ହୁଏ । ଏହି ଭାରୀ ବାୟୁ ଉଭୟ ଗୋଲାର୍ଦ୍ଧରେ ନିମ୍ନଗାମୀ ହେବା ଫଳରେ ଏହି ଅଞ୍ଚଳରେ ଗୁରୁଚାପ ସୃଷ୍ଟି ହୁଏ । ଏହାକୁ ଗୁରୁଚାପ ବଳୟ କୁହାଯାଏ । ଏଠାରେ ବାୟୁର ପାର୍ଶ୍ଵପ୍ରବାହ ନଥିବାରୁ ଏହାକୁ ‘ଉପକ୍ରାନ୍ତୀୟ ଶାନ୍ତ ବଳୟ କୁହାଯାଏ । 
 (iii) ଉପମେରୁ ଦେଶୀୟ ଲଘୁଚାପ ବଳୟ : ପୃଥିବୀର ଆବର୍ତ୍ତନର ବେଗ ଦୁଇ ମେରୁ ବୃତ୍ତ ଅଞ୍ଚଳରେ ଅଧିକ ହେବା କାରଣରୁ ଉଭୟ ଗୋଲାର୍ଦ୍ଧରେ ୬୦° ରୁ ୭o° ସମାକ୍ଷରେଖା ମଧ୍ୟରେ ବାୟୁ କ୍ରାନ୍ତୀୟ ଅଞ୍ଚଳ ଆଡ଼କୁ ବିକ୍ଷିପ୍ତ ହୋଇଥାଏ । ଫଳରେ ଏହି ଅଞ୍ଚଳରେ ବାୟୁ ପତଳା ହୋଇ ଲଘୁଚାପ ସୃଷ୍ଟି କରେ । ଏହାକୁ ଉପମେରୁ ଦେଶୀୟ ଲଘୁଚାପ ବଳୟ କୁହାଯାଏ । 
 (iv) ମେରୁଦେଶୀୟ ଗୁରୁଚାପ ବଳୟ : ମେରୁ ଅଞ୍ଚଳ ସର୍ବଦା ବରଫାଚ୍ଛନ୍ନ ହେତୁ ବାୟୁ ଶୀତଳ ଓ ଓଜନିଆ ହୋଇ ଏଠାରେ ଗୁରୁଚାପ ସୃଷ୍ଟି କରିଥାଏ । ଉତ୍ତର ଗୋଲାର୍ଦ୍ଧରେ ଏହା ଉତ୍ତର ମେରୁଦେଶୀୟ, ଗୁରୁଚାପ ବଳୟ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଏହା ଦକ୍ଷିଣ ମେରୁଦେଶୀୟ ଗୁରୁଚାପ ବଳୟ ନାମରେ ପରିଚିତ।
 ୪ । ବାୟୁ ପ୍ରବାହର ବିଭାଗୀକରଣ କରି ଯେକୌଣସି ଗୋଟିଏ ବିଭାଗ ବର୍ଣ୍ଣନା କର।
ଉ : ଗତିଶୀଳ ବାୟୁକୁ ବାୟୁପ୍ରବାହ କୁହାଯାଏ । ଭୂପୃଷ୍ଠ ସହ ସମାନ୍ତର ଭାବେ ବହୁଥିବା ବାୟୁକୁ ପବନ କୁହାଯାଏ । ସମସ୍ତ ବାୟୁ ପ୍ରବାହକୁ ମୁଖ୍ୟତଃ ତାରି ଶ୍ରେଣୀରେ ବିଭକ୍ତ କରାଯାଇଛି
  ଯଥା :(i ) ନିୟତବାୟୁ ପ୍ରବାହ,
(ii) ସାମୟିକ ବାହୁ ପ୍ରବାହ, 
 (iii) ସ୍ଥାନୀୟ ବାୟୁପ୍ରଦାହ ଓ 
(iv) ଆକସ୍ମିକ ବାୟୁ ପ୍ରବାହ ।
 ନିୟତ ବାୟୁପ୍ରବାହ : 
(i) ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ନିୟମିତ ପ୍ରବାହିତ ବାୟୁକୁ ନିୟତ ବାୟୁ ପ୍ରବାହ କୁହାଯାଏ । ଏହା ସ୍ଥାୟୀ ଅଟେ | 
(ii) ବାଣିଜ୍ୟ ବାୟୁ (ଆୟନ ବାୟୁ), ପଶ୍ଚିମା ବାୟୁ , ମେରୁବାୟୁ ନିୟତବାୟୁ ପ୍ରବାହର ଅନ୍ତର୍ଗତ । 
(iii) ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନ ବାୟୁ କୁହାଯାଏ । ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର ପୂର୍ବ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ପୂର୍ବ ଆୟନ ବାୟୁ ବହେ । 
(iv) ଏହି ବାୟୁ ପୂର୍ବେ ପାଲଟଣା ବୋଇତରେ ବାଣିଜ୍ୟ କାରବାରରେ ସହାୟକ ହେଉଥିବାରୁ ଏହାକୁ ବାଣିଜ୍ୟ ବାୟୁ କୁହାଯାଏ ।
(v) ଉଭୟ ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ପଶ୍ଚିମା ବାୟୁ କୁହାଯାଏ । ଉତ୍ତର ଗୋଲାର୍ଦ୍ଧରେ ଏହି ବାୟୁ ଦକ୍ଷିଣ-ପଶ୍ଚିମରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଉତ୍ତର ପଶ୍ଚିମକୁ ବହେ । ଏହି ବାୟୁର ବେଗ ଓ ଦିଗ ପରିବର୍ତ୍ତନଶୀଳ ହେତୁ ଏହାକୁ ପରିବର୍ତ୍ତନଶୀଳ ପଶ୍ଚିମାବାୟୁ କୁହାଯାଏ ।
 (vi) ଉଭୟ ଗୋଲାର୍ଦ୍ଧରେ ମେରୁମଣ୍ଡଳୀୟ ଗୁରୁଚାପ ଅଞ୍ଚଳର ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ମେରୁବାୟୁ କୁହାଯାଏ ।
 ୫ । ବୃଷ୍ଟିପାତ କ’ଣ ? ବିଭିନ୍ନ ପ୍ରକାରର ବୃଷ୍ଟିପାତ ସମ୍ବନ୍ଧରେ ଆଲୋଚନା କର।
ଉ : ମେଘରେ ଥିବା ଜଳକଣା ଘନୀଭୂତ ହୋଇ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ କୁହାଯାଏ । ବୃଷ୍ଟିପାତତିନି ପ୍ରକାରର । ଯଥା- ପରିଚଳନ ବୃଷ୍ଟିପାତ, ଶୈଳୋତକ୍ଷେପ ବୃଷ୍ଟିପାତ ଏବଂ ବାତାବର୍ତ୍ତ ବୃଷ୍ଟିପାତ । 
(i) ପରିଚଳନ ବୃଷ୍ଟିପାତ : ସୂର୍ଯ୍ୟରଶ୍ମିଦ୍ବାରା ଭୂପୃଷ୍ଠ ଉତ୍ତପ୍ତ ହେଲେ ଭୂପୃଷ୍ଠ ସଂଲଗ୍ନ ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠେ । ଏବଂ ଏହି ବାୟୁରେ ଜଳୀୟବାଷ୍ପ ଥିଲେ ଏହା ଆକାଶରେ ବହୁ ଉଚ୍ଚରେ ମେଘ ସୃଷ୍ଟି କରି ପ୍ରବଳ ବର୍ଷା କରାଏ । ଏହାକୁ ପରିଚଳନ ବୃଷ୍ଟିପାତ କୁହାଯାଏ ।
 (ii) ଶୈଳୋତକ୍ଷେପ ବୃଷ୍ଟିପାତ : ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ବହିଲାବେଳେ ତା’ର ଗତିପଥରେ କୌଣସି ଉଚ୍ଚ ପାହାଡ଼ କିମ୍ବା ପର୍ବତରେ ବାଧାପାଇ ଉପରକୁ ଉଠେ । ଉପରକୁ ଉଠିବାହେତୁ ସେହି ବାୟୁ ଶୀତଳ ହୋଇ ଘନୀଭୂତ ହୁଏ ଏବଂ ପ୍ରବଳ ବୃଷ୍ଟି କରାଏ । ଏହାକୁ ଶୈଳୋତକ୍ଷେପ ବୃଷ୍ଟିପାତ ବା ପାର୍ବତୀୟ ବୃଷ୍ଟିପାତ କୁହାଯାଏ । ପର୍ବତର ଯେଉଁ ପାର୍ଶ୍ୱରେ ବାୟୁ ବାଧାପାଇ ବର୍ଷା ହୁଏ, ସେହି ପାର୍ଶକୁ ପ୍ରତିବାତପାର୍ଶ୍ବ କୁହାଯାଏ। ତାହାର ବିପରୀତ ପାର୍ଶ୍ଵକୁ ଅନୁବାତ ପାର୍ଶ୍ବ କୁହାଯାଏ । ଅନୁବାତ ପାର୍ଶ୍ଵରେ ଖୁବ୍ କମ୍ ବର୍ଷା ହୁଏ, ତେଣୁ ସେହି ଅଞ୍ଚଳକୁ ବୃଷ୍ଟି ଛାୟା ଅଞ୍ଚଳ କୁହାଯାଏ ।
 (ii) ବାତାବର୍ତ୍ତ ବୃଷ୍ଟିପାତ : ବାତାବର୍ତ୍ତ ଜନିତ ବୃଷ୍ଟିପାତକୁ ବାତାବର୍ତ୍ତ କୁହାଯାଏ । ବିଭିନ୍ନ କାରଣରୁ କ୍ରାନ୍ତି ମଣ୍ଡଳ ଅନ୍ତର୍ଗତ ସମୁଦ୍ର ଉପରେ ବାୟୁଚାପ ହ୍ରାସ ପାଇ ଲଘୁଚାପ କେନ୍ଦ୍ର ସୃଷ୍ଟିହୁଏ । ଏହି ଲଘୁଚାପ କେନ୍ଦ୍ର ଆଡ଼କୁ ପ୍ରବାହିତ ହୁଏ । ଏହି ବାୟୁ ଘୂରି ଘୂରି ଉପରକୁ ଉଠିଯାଏ ଓ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଏ ।
୬। “କ’ ସ୍ତମ୍ଭରେ ଦିଆଯାଇଥିବା ପ୍ରତ୍ୟେକ ବାୟୁକୁ “ଖ” ସ୍ତମ୍ଭର ସମ୍ପର୍କିତ ସ୍ଥାନ ସହ ଯୋଡ଼ି ଲେଖ । 
 ଚିନୁକ୍ -ପଶ୍ଚିମବଙ୍ଗ
ଲୁ-ଦକ୍ଷିଣ-ପୂର୍ବ ଏସିଆ
 ମେରୁବାୟୁ- ରାଜସ୍ଥାନ
 ମୌସୁମୀ - ଆଣ୍ଟର୍କଟିକା
 କାଳବୈଶାଖୀ - ଆଣ୍ଡିଜ୍ ପର୍ବତମାଳା 
                     ରକି ପର୍ବତମାଳା
 ଉ : ‘କ ସ୍ତମ୍ଭ 'ଖ' ସ୍ତମ୍ଭ । 
ଚିନୁକ୍- ରକି ପର୍ବତମାଳା
ଲୁ - ରାଜସ୍ଥାନ
ମେରୁବାୟୁ- ଆଣ୍ଟାର୍କଟିକା
ମୌସୁମୀ -  ଦକ୍ଷିଣ-ପୂର୍ବ ଏସିଆ
କାଳବୈଶାଖୀ -ପଶ୍ଚିମବଙ୍ଗ
୭।ସଂକ୍ଷିପ୍ତ ଟିପ୍ପଣୀ ଲେଖ ।।
ଆୟନୋସ୍ଫିୟର, ବାଣିଜ୍ୟବାୟୁ, ପ୍ରତୀପ ବାତାବର୍ତ୍ତ, ସୌରାଭିତାପ, କୁହଡ଼ି ।
ଆୟନୋସ୍ଫିୟର:- ଥର୍ମୋସ୍ଫିୟରର ନିମ୍ନଭାଗରେ ଆୟନକଣିକାଗୁଡ଼ିକ ଘନୀଭୂତ ହୋଇ ରହିଥାନ୍ତି । ତେଣୁ ଏହି ନିମ୍ନାଂଶକୁ ଆୟନୋସ୍ଫିୟର କୁହାଯାଏ । ଏହା ପ୍ରାୟ ୮୦ ରୁ ୪୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ । ଆୟନୋସ୍ଫିୟର ଯୋଗୁଁ ଦୂରସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ସମ୍ଭବ ହୋଇଥାଏ ।
ବାଣିଜ୍ୟ ବାୟୁ : ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନବାହୁ କୁହାଯାଏ । ପୃଥିବୀର ଆବର୍ତ୍ତନ ଯୋଗୁଁ ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ପୂର୍ବ ଦିଗରୁ ପ୍ରବାହିତ ହୁଏ । ପୂର୍ବେ ପାଲଟଣା ବୋଇତରେ ବାଣିଜ୍ୟ କାରବାରରେ ଏହା ସହାୟକ ହେଉଥିବାରୁ ଏହାକୁ ବାଣିଜ୍ୟ ବାୟୁ କୁହାଯାଏ ।
ପ୍ରତୀପ ବାତ୍ତାବର୍ତ୍ତ : ବାତ୍ତାବର୍ତ୍ତର ଠିକ୍ ବିପରୀତ ଅବସ୍ଥାକୁ  ପ୍ରତୀପ ବାତ୍ତାବର୍ତ୍ତ କୁହାଯାଏ । କୌଣସି ସ୍ଥାନରେ ବାୟୁଚାପ ହଠାତ୍ ବୃଦ୍ଧିପାଇ ଗୁରୁଚାପ କେନ୍ଦ୍ର ସୃଷ୍ଟି ହୁଏ । ଏହି ଗୁରୁଚାପ କେନ୍ଦ୍ରରୁ ବାୟ ଧୀରେ ଧୀରେ ଚାରିପାଖରେ ଥିବା ଅଳ୍ପ ଚାପ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ । ଉତ୍ତର ଗୋଲାର୍ଦ୍ଧରେ ଏହି ବାୟ ଡାହାଣକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ଘୂର୍ଣ୍ଣନ ଦିଗରେ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ବାମକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ବିପରୀତ ଦିଗରେ ପ୍ରବାହିତ ହୁଏ। ପ୍ରତୀପ ବାତ୍ତାବର୍ତ୍ତ ଯୋଗୁଁ ପାଗ ଶୁଖୁଲା ରହେ ଓ ଆକାଶ ମେଘମୁକ୍ତ ଥାଏ ।
 ସୌରାଭିତାପ : ସୂର୍ଯ୍ୟ ସକଳ ଶକ୍ତି ର ଆଧାର ହୋଇଥିବାରୁ ପୃଥିବୀ ଓ ତା’ର ବାୟୁମଣ୍ଡଳ ପାଇଁ ସମସ୍ତ ଶକ୍ତି ସୂର୍ଯ୍ୟଙ୍କଠାରୁ ଆସିଥାଏ । ଭୂପୃଷ୍ଠରେ ସଂଗୃହୀତ ସୌରରଶ୍ମିର ପରିମାଣକୁ ‘ସୌରାଭିତାପ’ କୁହାଯାଏ । ଏହାର ପରିମାଣ ସାଧାରଣ ଭାବେ ବିଷୁବରେଖାଠାରୁ ମେରୁ ଆଡ଼କୁ ହ୍ରାସ ପାଇଥାଏ । ଋତୁଭେଦରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥାଏ । 
 କୁହୁଡ଼ି : ଶୀତଋତୁରେ ପୃଥିବୀ ତାପ ବିକିରଣ କରି ଥଣ୍ଡା ହୁଏ। ସେତେବେଳେ ଶୀତଳ ଭୂପୃଷ୍ଠକୁ ଲାଗିଥିବା ବାୟୁ ମଧ୍ୟ ଥଣ୍ଡା ହୁଏ । ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସି ଜଳୀୟବାଷ୍ପ ଘନୀଭୂତ ହୁଏ । ବାୟୁର ଭାସମାନ ଅବସ୍ଥାରେ ଥିବା ଧୂଳିକଣାକୁ ଆଶ୍ରୟ କରି ଏଗୁଡ଼ିକ ଭୂପୃଷ୍ଠର ଅଳ୍ପ ଉଚ୍ଚତାରେ ଭାସିବଲନ୍ତି । ଜଳୀୟବାଷ୍ପର ଏହି ପରିବର୍ତ୍ତିତ ରୂପକୁ କୁହୁଡ଼ି କୁହାଯାଏ ।
୮। ଭୌଗୋଳିକ କାରଣ ଲେଖ । 
 (କ) ଷ୍ଟ୍ରାଟୋସ୍ଫିୟର ବିମାନ ଚଳାଚଳ ପାଇଁ ଅନୁକୂଳ ।
 ଉ :(i) ଷ୍ଟ୍ରାଟୋସ୍ଫିୟର ସ୍ତରରେ ଧୂଳିକଣା ଓ ଜଳୀୟବାଷ୍ପ ନଥିବାରୁ ମେଘ ବା ଜଳବାୟୁ ସମ୍ବନ୍ଧୀୟ ଘଟଣା ଏଠାରେ ସଂଗଠିତ ହୋଇପାରେ ନାହିଁ ।
(ii) ତେଣୁ ବିମାନ ଚଳାଚଳ ପାଇଁ ଏହା ଏକ ଅନୁକୂଳ ସ୍ତର ଅଟେ ।
 (ଖ) ଶୀତରାତିରେ କୁହୁଡ଼ି ସୃଷ୍ଟି ହୁଏ ।
 ଉ : ଶୀତରାତିରେ କୁହୁଡ଼ି ସୃଷ୍ଟି ହୁଏ କାରଣ 
(i) ଶୀତଦିନେ ଦିନ ଛୋଟ ଓ ରାତି ବଡ଼ ହୋଇଥିବାରୁ ପୃଥିବୀ ଓ ପୃଥିବୀକୁ ଲାଗିରହିଥିବା ବାୟୁ ମଧ୍ୟ ଶୀତଳ ହୁଏ । ସୂର୍ଯ୍ୟାସ୍ତପରେ ଭୂପୃଷ୍ଠ ଶୀତଳ ହେଲେ, ତାକୁ ଲାଗିରହିଥିବା ବାୟୁ ମଧ୍ୟ ଶୀତଳ ହୁଏ । 
 (ii) ତେଣୁ ବାୟୁରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ କୁହୁଡ଼ି ସୃଷ୍ଟି ହୁଏ ।
(ଗ) ପଶ୍ଚିମଘାଟ ପର୍ବତମାଳାର ପୂର୍ବପାର୍ଶ୍ଵରେ କମ୍ ବୃଷ୍ଟି ହୁଏ। 
ଉ : ପଶ୍ଚିମଘାଟ ପର୍ବତମାଳାର ପୂର୍ବପାର୍ଶ୍ଵରେ କମ୍ ବୃଷ୍ଟି ହୁଏ କାରଣ 
(i) ପଶ୍ଚିମଘାଟ ପର୍ବତମାଳାର ପୂର୍ବପାର୍ଶ୍ବ ଅନୁବାତ ପାର୍ଶ୍ବ ଅଟେ। 
(ii) ଅନୁବାତ ପାର୍ଶ୍ୱରେ ବାୟୁ ନିମ୍ନଗାମୀ ହୋଇଥାଏ । ତେଣୁ ଏଠାରେ ଅଳ୍ପବୃଷ୍ଟି ବା ଅନାବୃଷ୍ଟି ହୋଇଥାଏ । 
(ଘ) ନିରକ୍ଷ ଲଘୁଚାପ ବଳୟକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ। 
ଉ : ନିରକ୍ଷ ଲଘୁଚାପ ବଳୟକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ।କାରଣ
 (i) ନିରକ୍ଷ ବୃତ୍ତର ଉଭୟ ପାର୍ଶ୍ଵରେ ୫° ସମାକ୍ଷରେଖା ମଧ୍ୟରେ ବର୍ଷସାରା ସୂର୍ଯ୍ୟକିରଣ ଲମ୍ବ ଭାବରେ ପଡ଼ିଥାଏ । ଫଳରେ ଏଠାରେ ତାପମାତ୍ରା ଅଧିକ ରହେ ଓ ବାୟୁଚାପ ହ୍ରାସ ପାଇଥାଏ । 
 (ii) ଏଠାରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ହୋଇଥିବାରୁ ଏହାକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
(ଙ) ପୁରୀ ସହରରେ ବେଶୀ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ । 
ଉ : ପୁରୀ ସହରରେ ବେଶୀ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ  କାରଣ 
 (i) ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରବାୟୁ ଓ ସ୍ଥଳବାୟୁ ଅନୁଭୂତ ହୁଏ । ଦିନବେଳା ସ୍ଥଳଭାଗ ସମୁଦ୍ରଜଳ ଅପେକ୍ଷା ଶୀଘ୍ର ଗରମ ହୁଏ । ସ୍ଥଳଭାଗସ୍ଥ ବାୟୁ ଗରମ, ହାଲୁକା ହୋଇ ଲଘୁଚାପ ସୃଷ୍ଟି ହୁଏ । ସମୁଦ୍ର ଉପରିସ୍ଥ ବାୟୁ ଅପେକ୍ଷାକୃତ ଶୀତଳ ଥିବାରୁ ଗୁରୁଚାପ ହୋଇଥାଏ । ତେଣୁ ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବାହ ହୁଏ । 
 (ii) ପୁରୀ ସହର ବଙ୍ଗୋପସାଗର କୂଳରେ ଅବସ୍ଥିତ।ରାତିବେଳା ଏହି ଅଞ୍ଚଳରେ ଦିନର ବିପରୀତ ଅବସ୍ଥା ସୃଷ୍ଟି ହୋଇଥାଏ । ତେଣୁ ପୁରୀ ସହରରେ ବେଶୀ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ ।
 ୯ । ଶୂନ୍ୟସ୍ଥାନ ପୂରଣ କର ।
 (କ) ହାଲୁକା ଗ୍ୟାସମାନ ___ ସ୍ତରରେ ମହଜୁଦ ରହିଛି ।
 (ଖ) ସୌରାଭିତାପର ପରିମାଣ ପୃଥିବୀର ___ଅଞ୍ଚଳରେ ସର୍ବାଧକ।
 (ଗ) ଗତିଶୀଳ ବାୟୁକୁ  ___କୁହାଯାଏ ।
 (ଘ) ‘ଗର୍ଜନଶୀଳ ଚାଳିଶା’ __ ଗୋଲାର୍ଦ୍ଧରେ ଉପଲବ୍ଧ।
(ଡି) ବୃକ୍ଷଲତାଦି_____ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ବାଷ୍ପ  ଛାଡ଼ିଥାନ୍ତି । 
(ଚ) ତାପମାତ୍ରାର ଦୈନିକ ହ୍ରାସବୃଦ୍ଧିକୁ ____ କୁହାଯାଏ । 
 ଉ : (କ) ଏକ୍ସୋସ୍ଫିୟର (ଖ) ବିଷୁବ (ଗ) ବାୟୁପ୍ରବାହ (ଘ) ଦକ୍ଷିଣ (ଡ) ବାଷ୍ପମୋଚନ (ଚ) ଦୈନିକ ତାପ ବ୍ୟବଧାନ ।
 ୧୦ । ପ୍ରତ୍ୟେକକୁ ଗୋଟିଏ ଲେଖାଏଁ ଶବ୍ଦରେ ପ୍ରକାଶ କର | 
(କ) ଅତି ଉଚ୍ଚ ପର୍ବତ ଶ୍ରେଣୀରେ ହେଉଥିବା ବୃଷ୍ଟିପାତ । 
ଉ : ଶୈଳୋତକ୍ଷେପ ବୃଷ୍ଟିପାତ । 
 (ଖ) ବିଷୁବ ଅଞ୍ଚଳରେ ପ୍ରତ୍ୟହ ଅପରାହ୍ନରେ ହେଉଥିବା ବୃଷ୍ଟିପାତ ।
 ଉ : ପରିଚଳନ ବୃଷ୍ଟିପାତ ।
(ଗ) ଘନୀଭବନର ବିପରୀତ କ୍ରିୟା ।
 ଉ : ବାଷ୍ପୀଭବନ
 (ଘ) ଦକ୍ଷିଣପୂର୍ବ ଏସିଆରେ ପ୍ରବାହିତ ସାମୟିକ ବାୟୁ ।
 ଉ : ମୌସୁମୀବାୟୁ । 
 (ଡ) ସୌରଶକ୍ତି ସଂଗ୍ରହ ଓ ବିତରଣ । 
ଉ : ତାପ ବଜେଟ୍ ।

Comments

Popular posts from this blog

୪:-ମାନବିକ ଅଧିକାର

୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ