୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ
ଉତ୍ତର ଦିଅ ।
(କ) କପିଳେନ୍ଦ୍ରଦେବଙ୍କ ରାଜ୍ୟ ଜୟ ବିଷୟରେ ଲେଖ ।
ଉ : (i) ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବ ୧୪୩୫ ଖ୍ରୀ.ରେ ସିଂହାସନ ଆରୋହଣ କରିଥିଲେ ।
(ii) ସେ ଜଣେ ବିଚକ୍ଷଣ ଯୋଦ୍ଧା ଓ ଦିଗ୍ବିଜୟୀ ସମ୍ରାଟ୍ ଥିଲେ ।
(iii) କପିଳେନ୍ଦ୍ରଦେବ ଗୌଡ଼ ଦେଶର ସୁଲତାନ, ଦାକ୍ଷିଣାତ୍ୟର ବିଜୟ ନଗରର ରାଜା; ବାହମନୀର ସୁଲତାନଙ୍କୁ ପରାସ୍ତ କରି ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ ।
(iv) ସେ ପରାଜିତ ରାଷ୍ଟ୍ରମାନଙ୍କର ନାମକୁ ନେଇ ଗଜପତି - ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର’ ଉପାଧିରେ ଭୂଷିତ ହୋଇଥିଲେ ।
(ଖ) ପ୍ରତାପରୁଦ୍ର ଦେବ ଏବଂ କୃଷ୍ଣଦେବରାୟଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଲେଖ ।
ଉ : (i) ପ୍ରତାପରୁଦ୍ରଦେବ ସୂର୍ଯ୍ୟବଂଶର ଶେଷ ସମ୍ରାଟ୍ ଥିଲେ । ସେତେବେଳେ କୃଷ୍ଣଦେବରାୟ ବିଜୟ ନଗର ରାଜ୍ୟର ରାଜା ଥିଲେ ।
(ii) ପ୍ରବଳ ପ୍ରତାପୀ କୃଷ୍ଣଦେବ ରାୟ ଓଡ଼ିଶାର ଉଦୟଗିରି ସମେତ ବହୁ ଅଞ୍ଚଳ ତାଙ୍କ ଅଧୀନକୁ ନେଇ ଥିଲେ ( ସୀମାଚଳମ୍ ପର୍ଯ୍ୟନ୍ତ) । ପ୍ରତାପରୁଦ୍ର ତାଙ୍କ ଗତିରୋଧ କରିବାକୁ ଯାଉ ପରାଜିତ ହୋଇଥିଲେ ।
(iii) ପ୍ରତାପରୁଦ୍ର ଓ କୃଷ୍ଣଦେବଙ୍କ ମଧ୍ୟରେ ସନ୍ଧି ସ୍ଥାପିତ ହେଲା । ପ୍ରତାପରୁଦ୍ର ଦେବ ତାଙ୍କ କନ୍ୟା ଜଗନ୍ମୋହିନୀଙ୍କୁ କୃଷ୍ଣଦେବଙ୍କ ସହ ବାହା କରାଇଲେ । ଫଳସ୍ୱରୂପ ପ୍ରତାପରୁଦ୍ର ଶ୍ବଶୁର ହେଲେ, କୃଷ୍ଣଦେବ ରାୟ ତାଙ୍କ ଜାମାତା ହେଲେ ।
(ଗ) ପ୍ରତାପରୁଦ୍ର ଦେବଙ୍କ ସମୟରେ ସୃଷ୍ଟି ହୋଇଥିବା ସାହିତ୍ୟ ସଂପର୍କରେ ସୂଚନା ପ୍ରଦାନ କର ।
ଉ : (i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ବାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ବତୀ ବିଳାସ’ ରଚନା କରିଥିଲେ ।
(iii) ପ୍ରତାପରୁଦ୍ରଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ‘ଦାଣ୍ଡିରାମାୟଣ', କବି ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’, ରାୟ ରାମାନନ୍ଦ ‘ଜଗନ୍ନାଥ ବଲ୍ଲଭ’ ରଚନା କରିଥିଲେ ।
(iv) ବହୁ କବି ଓ ପଣ୍ଡିତ ତାଙ୍କ ରାଜସଭାକୁ ମଣ୍ଡନ କରିଥିଲେ ।
(ଘ) ମୁକୁନ୍ଦ ହରିଚନ୍ଦନ ଓ ସୁଲେମାନ୍ କର୍ ରାଣୀଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ଫଳାଫଳ କ'ଣ ହେଲା ?
ଉ : (i) ମୋଗଲ ସମ୍ରାଟ ଆକବର ବଙ୍ଗଦେଶ ଜୟ କରିବା ପାଇଁ ମୁକୁନ୍ଦଦେବଙ୍କ ସହ ସଂପର୍କ ସ୍ଥାପନ କରିଥିଲେ ।
(ii) ଏଥିରେ ବଙ୍ଗର ଆଫଗାନ ସୁଲତାନ୍ ସୁଲେମାନ କର୍ ରାଣୀ କ୍ଷୁବ୍ଧ ହୋଇଥିଲେ ।
(iii) କର୍ ରାଣୀ ତାଙ୍କ ସୈନ୍ୟଦଳକୁ ଦୁଇଭାଗ କରି ଗୋଟିଏ ଭାଗକୁ ନେଇ ଓଡ଼ିଶା ଆକ୍ରମଣ କଲେ ୧୫୬୮ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦଦେବ ପରାସ୍ତ ହେଲେ ।
(iv) ପୁଣି କର୍ ରାଣୀଙ୍କ ସୈନ୍ୟଦଳ ସେନାପତି କଳାପାହାଡ଼ଙ୍କ ନେତୃତ୍ବରେ ଓଡ଼ିଶା ଆକ୍ରମଣ କରିଥିଲେ ।
୨ । ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ)----- ସୂର୍ଯ୍ୟବଂଶର ପ୍ରତିଷ୍ଠାତା ।
(ମୁକୁନ୍ଦଦେବ, କପିଳେନ୍ଦ୍ରଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ)
(ଖ) ‘ଚଣ୍ଡିପୁରାଣ’ ---- ରଚନା କରିଥିଲେ ।
(ବଳରାମ ଦାସ, ଅନନ୍ତ ଦାସ, ଶାରଳା ଦାସ, ଜଗନ୍ନାଥ ଦାସ)
(ଗ) ---- କପିଳେନ୍ଦ୍ର ଦେବଙ୍କ ଜ୍ୟେଷ୍ଠପୁତ୍ର ।
(ପୁରୁଷୋତ୍ତମଦେବ, ପ୍ରତାପରୁଦ୍ର ଦେବ, ହମ୍ବୀର, ସାଲ୍ବ ନରସିଂହ)
(ଘ) ‘ଅଭିନବ ଗୀତଗୋବିନ୍ଦ’ର ରଚୟିତା ----।
(ପ୍ରତାପରୁଦ୍ର ଦେବ, କବିଚନ୍ଦ୍ର ରାୟ ଦିବାକର, ପୁରୁଷୋତ୍ତମ ଦେବ, ସାରଳା ଦାସ)
(ଙ)----- ଓଡ଼ିଶାର ଶେଷ ସ୍ଵାଧୀନ ରାଜା ।
(ପ୍ରତାପରୁଦ୍ର ଦେବ, ଗୋବିନ୍ଦ ବିଦ୍ୟାଧର କପିଳେନ୍ଦ୍ରଦେବ, ମୁକୁନ୍ଦ ହରିଚନ୍ଦନ)
ଉ : (କ) କପିଳେନ୍ଦ୍ର ଦେବ, (ଖ) ଶାରଳା ଦାସ (ଗ)ହମ୍ବୀର, (ଘ) ପୁରୁଷୋତ୍ତମ ଦେବ, (ଙ) ମୁକୁନ୍ଦ ହରିଚନ୍ଦନ
୩ । କ’ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ‘ଖ’ ସ୍ତମ୍ଭର ଘଟଣାକୁ ଗାର ଟାଣି ଯୋଡ଼ ।
‘କ’ ସ୍ତମ୍ଭ ଖ ସ୍ତମ୍ଭ
୧୪୯୭ ଖ୍ରୀଷ୍ଟାବ୍ଦ - କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ
୧୫୩୮ ଖ୍ରୀଷ୍ଟାବ୍ଦ-ମୁକୁନ୍ଦ ହରିଚନ୍ଦନଙ୍କ ସିଂହାସନ ଆରୋହଣ
୧୫୬୦ ଖ୍ରୀଷ୍ଟାବ୍ଦ - ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ
୧୪୩୫ ଖ୍ରୀଷ୍ଟାବ୍ଦ- ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ
ଉ : ‘କ ସ୍ତମ୍ଭ ଖ’ ସ୍ତମ୍ଭ ।
୧୪୯୭ ଖ୍ରୀଷ୍ଟାବ୍ଦ - ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ
୧୫୩୮ ଖ୍ରୀଷ୍ଟାବ୍ଦ- ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ
୧୫୬୦ ଖ୍ରୀଷ୍ଟାବ୍ଦ- ମୁକୁନ୍ଦ ହରିଚନ୍ଦନଙ୍କ ସିଂହାସନ ଆରୋହଣ
୧୪୩୫ ଖ୍ରୀଷ୍ଟାବ୍ଦ -କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣ
୪ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
କପିଳାବ୍ଦ, ସାଲ୍ବ ନରସିଂହ, କୃଷ୍ଣଦେବ ରାୟ, ହୁସେନ ଶାହା, ପ୍ରତାପରୁଦ୍ର ଦେବଙ୍କ ସାହିତ୍ୟାନୁରାଗ, ଗିୟାସୁଦ୍ଦିନ ଜଲାଲ ଶାହା, ଗୋହିରୀଟିକିରା ।
ଉ : କପିଳାବ୍ଦ : ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବ। ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେହି ବର୍ଷ ସେ କପିଳାବ୍ଦ ପ୍ରଚଳନ କରିଥିଲେ ।
ସାଲ୍ବ ନରସିଂହ : ସାଲ୍ବ ନରସିଂହ ଉଦୟଗିରିର ରାଜା ଥିଲେ । କପିଳେନ୍ଦ୍ର ଦେବଙ୍କ ମୃତ୍ୟୁର ସୁଯୋଗ ନେଇ ସେ ଦକ୍ଷିଣ ଓଡ଼ିଶାର କେତେକ ଦୁର୍ଗ ଅଧିକାର କରିଥିଲେ; ମାତ୍ର ପୁରୁଷୋତ୍ତମ ଦେବ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ସାଲ୍ବଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିଥିଲେ ।
କୃଷ୍ଣ ଦେବରାୟ : କୃଷ୍ଣ ଦେବରାୟ ବିଜୟ ନଗର ରାଜ୍ୟର ପ୍ରବଳ ପ୍ରତାପୀ ରାଜା ଥିଲେ । ସେ ଓଡ଼ିଶାର ଉଦୟଗିରି ସମେତ ବହୁ ଅଞ୍ଚଳ ଅଧିକାର କରିଥିଲେ; ପ୍ରତାପରୁଦ୍ର ଦେବ ତାଙ୍କୁ ଗତି ରୋଧ କରି ପରାସ୍ତ ହୋଇଥିଲେ ଏବଂ ତାଙ୍କ କନ୍ୟା ଜଗନ୍ମୋହିନୀଙ୍କୁ କୃଷ୍ଣଦେବରାୟଙ୍କ ସହ ବିବାହ କରାଇଥିଲେ।
ହୁସେନ ଶାହା : ସୂର୍ଯ୍ୟବଂଶର ଶେଷ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ରାଜତ୍ଵ କାଳରେ ହୁସେନ ଶାହା ବଙ୍ଗର ସୁଲତାନ ଥିଲେ । ସେ ଥରେ ଓଡ଼ିଶା ଆକ୍ରମଣ କରିଥିଲେ ମାତ୍ର ପ୍ରତାପରୁଦ୍ରଦେବ ତାଙ୍କୁ ତଡ଼ି ଦେଇଥିଲେ ।
ପ୍ରତାପରୁଦ୍ରଦେବଙ୍କ ସାହିତ୍ୟାନୁରାଗ : ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି, ବିଦ୍ବାନ, ସାହିତ୍ୟିକ ଥିଲେ । ସେ ସଂସ୍କୃତ ଭାଷାରେ 'ସରସ୍ବତୀ ବିଳାସ’ ନାମକ ଏକ ଅମୂଲ୍ୟ ଗ୍ରନ୍ଥ ରଚନା କରିଥିଲେ ।
ଗିୟାସୁଦ୍ଦିନ ଜଲାଲ ଶାହା : ଗିୟାସୁଦ୍ଦିନ ଜଲାଲ ଶାହା ବଙ୍ଗର ସୁଲତାନ ଥିଲେ । ୧୫୬୦ ଖ୍ରୀଷ୍ଟାବ୍ଦରେ ସେ ଓଡ଼ିଶା ଆକ୍ରମଣ କରି ଯାଜପୁର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ; ମାତ୍ର ମୁକୁନ୍ଦଦେବଙ୍କଦ୍ଵାରା ପରାସ୍ତ ହୋଇଥିଲେ ।
ଗୋହିରୀଟିକିରା : ସାରଙ୍ଗଗଡ଼ର ସାମନ୍ତରାଜା ରାମଚନ୍ଦ୍ର ଭଞ୍ଜ ମୁକୁନ୍ଦଦେବଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଓ ନିଜକୁ ଗଜପତି ରାଜା ରୂପେ ଘୋଷଣା କରି ଥିଲେ । ୧୫୬୮ ଖ୍ରୀଷ୍ଟାବ୍ଦରେ ସେ ଯାଜପୁର ନିକଟସ୍ଥ ଗୋହିରୀଟିକିରାଠାରେ ମୁକୁନ୍ଦ ଦେବଙ୍କ ଯୁଦ୍ଧରେ ପରାସ୍ତ କରିଥିଲେ । ଏହି ଯୁଦ୍ଧରେ ମୁକୁନ୍ଦ ଦେବ ନିହତ ହୋଇଥିଲେ ।
୫। ରେଖାଙ୍କିତ ପଦ ଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।
(କ) ପୁରୁଷୋତ୍ତମ ଦେବ ‘ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର' ଉପାଧିରେ ଭୂଷିତ ହୋଇଥିଲେ ।
(ଖ) ରାୟରାମାନନ୍ଦ କପିଳେନ୍ଦ୍ରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।
(ଗ) ‘ଚଣ୍ଡି ପୁରାଣ’ ଏବଂ ଓଡ଼ିଆ 'ମହାଭାରତ’ ବଳରାମ ଦାସଙ୍କ ଦ୍ବାରା ରଚିତ ହୋଇଥିଲା ।
(ଘ) ପ୍ରତାପରୁଦ୍ରଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀଘାଟ ନିର୍ମାଣ କରିଥିଲେ ।
ଉ :(କ) କପିଳେନ୍ଦ୍ରଦେବ ‘ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର' ଉପାଧିରେ ଭୂଷିତ ହୋଇଥିଲେ ।
(ଖ) ହମ୍ବୀର କପିଳେନ୍ଦ୍ର ଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।
(ଗ) ‘ଚଣ୍ଡିପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ସାରଳା ଦାସଙ୍କ ଦ୍ବାରା ରଚିତ ହୋଇଥିଲା ।
(ଘ) ମୁକୁନ୍ଦଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।
୬ । କପିଳେନ୍ଦ୍ରଦେବ ‘ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧିରେ ଭୂଷିତ ହେବାର କାରଣ କ’ଣ ?
ଉ :(i) ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
(ii) ସେ ଗୌଡ଼ ଦେଶର ସୁଲତାନଙ୍କୁ ପରାସ୍ତ କରି 'ଗୌଡେଶ୍ଵର' ଉପାଧି ଧାରଣ କରିଥିଲେ ।
(iii) ଦାକ୍ଷିଣାତ୍ୟର ବିଜୟ ନଗରର ରାଜାଙ୍କୁ ପରାସ୍ତ କରି 'ନବକୋଟି କର୍ଣ୍ଣାଟ’ ଉପାଧି ଏବଂ ବାହ ମନୀର ସୁଲତାନଙ୍କୁ ପରାସ୍ତ କରି ‘କଳବର୍ଗେଶ୍ଵର' ଉପାଧିରେ ଭୂଷିତ ହୋଇଥିଲେ।
(iv) କପିଳେନ୍ଦ୍ରଦେବ ଓଡ଼ିଶାର ଗଜପତି ରାଜା ହୋଇଥିବାରୁ ସେ ‘ଗଜପତି ଗୌଡେଶ୍ବର କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧିରେ ଭୂଷିତ ହୋଇଥିଲେ ।
୭।ଓଡ଼ିଶାର ସୂର୍ଯ୍ୟବଂଶୀ ନରପତି ମାନଙ୍କ ସମୟରେ ରଚିତ ହୋଇଥିବା ସାହିତ୍ୟ କୃତିଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
ଉ : ସୂର୍ଯ୍ୟବଂଶୀ ନରପତି ରାଜାଙ୍କ ନାମ - ତାଙ୍କ ସମୟର ସାହିତ୍ୟକୃତି
କପିଳେନ୍ଦ୍ର ଦେବ :
ପରଶୁରାମ ବିଜୟ - କପିଳେନ୍ଦ୍ର ଦେବ
ସଂକ୍ଷେପ ଶାରୀରିକ ବର୍ତ୍ତିକା – ନୃସିଂହ ବାଜପେୟୀ
ମହାଭାରତ ଓ ଚଣ୍ଡୀପୁରାଣ - ସାରଳା ଦାସ
ପୁରୁଷୋତ୍ତମ ଦେବ :
ଅଭିନବଗୀତ ଗୋବିନ୍ଦ - ପୁରୁଷୋତ୍ତମ ଦେବ
ପ୍ରତାପରୁଦ୍ର ଦେବ :
ସରସ୍ବତୀ ବିଳାସ -ପ୍ରତାପରୁଦ୍ର ଦେବ
ଓଡ଼ିଆ ଭାଗବତ - ଜଗନ୍ନାଥ ଦାସ
ଦାଣ୍ଡି ରାମାୟଣ - ବଳରାମ ଦାସ
ଭକ୍ତି ଭାଗବତ - ଜୀବଦେବ ଆଚାର୍ଯ୍ୟ
ଜଗନ୍ନାଥ ବଲ୍ଲଭ - ରାୟ ରାମାନନ୍ଦ
୮ । ମୁକୁନ୍ଦ ହରିଚନ୍ଦନଙ୍କୁ କାହିଁକି ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ?
ଉ : ମୁକୁନ୍ଦ ହରିଚନ୍ଦନଙ୍କୁ ଓଡ଼ିଶାର ଶେଷରାଜା କୁହାଯାଏ କାରଣ –
(i) ସୂର୍ଯ୍ୟବଂଶ ଶାସନ ପରେ ଭୋଇ ବଂଶର ଶାସକ ଗୋବିନ୍ଦ ବିଦ୍ୟାଧରଙ୍କ ନାତି ମୁକୁନ୍ଦ ହରିଚନ୍ଦନ ୧୫୬୦ ଖ୍ରୀ.ରେ ସିଂହାସନ ଆରୋହଣ କରିଥିଲେ ।
(ii) ୧୫୬୮ ଖ୍ରୀ.ରେ ତାଙ୍କୁ ଗୋହରୀଟିକିରା ଯୁଦ୍ଧରେ ରାମଚନ୍ଦ୍ର ଭଞ୍ଜ ନିହତ କରିଥିଲେ । ମୁକୁନ୍ଦ ଦେବଙ୍କ ପରେ ଓଡ଼ିଶାର ସ୍ଵାଧୀନତା ଲୋପ ପାଇଲା; ଏଣୁ ତାଙ୍କୁ ଓଡ଼ିଶାର ଶେଷରାଜା କୁହାଯାଏ ।
୯ । ଓଡ଼ିଆ ସାହିତ୍ୟ କପିଳେନ୍ଦ୍ରଦେବ ବା ପ୍ରତାପରୁଦ୍ର ଦେବଙ୍କ ସମୟରେ ବେଶି ବିକଶିତ ହୋଇଥିଲା ପ୍ରମାଣ ସହ ଦର୍ଶାଅ ?
ଉ :(i) ଓଡ଼ିଆ ସାହିତ୍ୟ ପ୍ରତାପରୁଦ୍ର ଦେବଙ୍କ ସମୟରେ ବେଶି ବିକଶିତ ହୋଇଥିଲା ।
(ii) କପିଳେନ୍ଦ୍ରଦେବଙ୍କ ରାଜତ୍ଵ କାଳରେ ତିନିଗୋଟି ପୁସ୍ତକ ରଚନା କରାଯାଇଥିଲା । ମାତ୍ର ପ୍ରତାପରୁଦ୍ର ଦେବଙ୍କ ସମୟରେ ପାଞ୍ଚଗୋଟି ପୁସ୍ତକ ରଚନା କରାଯାଇଥିଲା । ଏଣୁ ଏଥିରୁ ପ୍ରମାଣିତ ଯେ ପ୍ରତାପରୁଦ୍ରଦେବଙ୍କ ସମୟରେ ଓଡ଼ିଆ ସାହିତ୍ୟ ବେଶି ବିକଶିତ ହୋଇଥିଲା ।
Comments
Post a Comment